ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆରପାରିରେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ରାଜନୀତିର ବାଦଶାହା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କର ଶନିବାର ବିୟୋଗ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯାଇଥିବାବେଳେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି ।୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୂର୍ଯ୍ୟ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ୧୯୭୭ ମସିହାରେ ସେ ବ୍ରହ୍ମପୁର ମ୍ୟୁନିସିପାଲିଟିରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୦ ମସିହାରେ ଜନତା ଦଳରୁ ଟିକେଟ୍ ହାତେଇବା ସହିତ ସେତେବେଳେ ମୋହନାରୁ ନିର୍ବାଚନ ଲଢିବା ସହିତ ବିଜୟୀ ହେଇଥିଲେ ସୂର୍ଯ୍ୟ । ଆଉ ଏଇଠୁ ହିଁ ଗଞ୍ଜାମ ରାଜନୀତିରେ ଲମ୍ବା ରେସର ଘୋଡା ସାଜିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ଧରି ସେ ଜନତା ଦଳ ଟିକେଟରେ ମୋହନାରୁ ବିଧାୟକ ହେଇଥିଲେ । ଏହାପରେ ବିଜେଡି ଟିକେଟରୁ ମଧ୍ୟ ସେ ମୋହନାରୁ ୨ ଥର ବିଧାୟକ ରହିଥିଲେ । ହେଲେ ୨୦୦୯ ମସିହାରେ ସେ ନିଜର ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବା ସହିତ ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ । ବାସ୍, ଏହାପରଠୁ ସେ ଦିଗପହଣ୍ଡିରୁ ହିଁ ବିଧାୟକ ହେଇ ଆସୁଥିଲେ । ୨୦୦୯ ମସିହାରୁ ସେ ଦିଗପହଣ୍ଡିର ବିଧାୟକ ରହିଥିଲେ ।ନିଜ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ ସୂର୍ଯ୍ୟ । ଶକ୍ତି ବିଭାଗ ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ସୂର୍ଯ୍ୟ ପାତ୍ର । ୨୦୧୯ ମସିହା ଜୁନ୍ ୧ ତାରିଖରେ ସେ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଆଉ ୨୦୨୨ ମସିହା ଜୁନ୍ ମାସ ୪ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ