ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପାଇଁ ଏମ.ବି.ସି ଟି.ଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଧୀରେଶ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ମିଳିଛି I ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି I ଏଥି ନିମନ୍ତେ ସ୍ବର୍ଗତ ଧୀରେଶ ଚନ୍ଦ୍ର ବେହେରାଙ୍କ ପତ୍ନୀ ଶ୍ରୀମତୀ ଗୀତାରାଣୀ ବେହେରା ବିଧିବଧ ଭାବେ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ସହ ଜିଲ୍ଲା କାର୍ଯ୍ୟାଳୟର ସୂଚନା ଓ ଲୋକସମ୍ପର୍କ ଉପବିଭାଗ ମାଧ୍ୟମରେ ଦରଖାସ୍ତ କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁଙ୍କ ରିପୋର୍ଟ ଏବଂ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଯାଞ୍ଚ ପରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅନୁମୋଦିତ ଦରଖାସ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିଲା I ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିବଂଗତ ସାମ୍ବାଦିକଙ୍କ ଶୋକସନ୍ତପ୍ତ ପରିବାରର ଆର୍ଥିକ ସହାୟତା ନିମନ୍ତେ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରି ଏହା ମାଧ୍ୟମରେ ଆର୍ଥିକ ସହାୟତା କରି ଆସୁଛନ୍ତି I ଏହି ଯୋଜନା ଅନ୍ତର୍ଗତ ସୂଚନା ଓ ଲୋକସମ୍ପର୍କ ବିଭାଗର ମଞ୍ଜୁରୀ ଆଦେଶନାମା ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଦ୍ୱାରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଏବଂ ସ୍ବର୍ଗତ ଧୀରେଶ ଚନ୍ଦ୍ର ବେହେରାଙ୍କ ପରିବାରଲୋକ ତଥା ସାମ୍ବାଦିକବନ୍ଧୁଙ୍କ ଉପସ୍ଥିତିରେ ଶ୍ରୀମତୀ ଗୀତାରାଣୀ ବେହେରାଙ୍କୁ ପ୍ରଦାନ କରାଯାଇଥିଲା ଯାହାର ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି I ଏହି ସହାୟତା ନିମନ୍ତେ ସ୍ବର୍ଗତ ଧୀରେଶ ଚନ୍ଦ୍ର ବେହେରାଙ୍କ ପରିବାର ଲୋକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି I