ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସେପ୍ଟେମ୍ବର ୨୧ ତାରିଖ ଆନ୍ତର୍ଜାତୀୟ ଶାନ୍ତି ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପକ୍ଷରୁ ଅପରାହ୍ନରେ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବନି, ସ୍କାଉଟ ଏବଂ ଗାଇଡ୍ ଯୋଗଦେଇଥିଲେ । ଏହି ସଭା ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ସଭ୍ୟ ରାଜ୍ୟ ବାର୍ କାଉନସିଲ୍, ଓଡିଶା ଶ୍ରୀଯୁକ୍ତ ସିତାଶୁଂ ମୋହନ ଦ୍ୱିବେଦୀ ଯୋଗଦେଇ ଆଜିର ଦିନର ମହତ୍ୱ ପିଲାମାନଙ୍କୁ ବୁଝାଇବା ସହିତ କ’ଣ କଲେ ନିଜେ ଶାନ୍ତିରେ ରହିବା ସହିତ ଅନ୍ୟକୁ ମଧ୍ୟ ଶାନ୍ତି ଦେଇପାରିବା ନିଜ ବକ୍ତବ୍ୟରେ କହିଥିଲେ । ଏଥିସହିତ ଭୁବନେଶ୍ୱର ବାର୍ ଆସୋସିଏସନର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ ଏବଂ ବହୁ ବରିଷ୍ଠ ଆଇନ୍ଜୀବୀ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍କାଉଟ ଏବଂ ଗାଇଡ୍ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରେଷ୍ଠ ବିବେଚିତ ସ୍କାଉଟସ୍ ଏବଂ ଗାଇଡସ୍ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହିତ ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଂଗଠନ କମିଶନର ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରେଷ୍ଠ ବିବେଚିତ ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କୁ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।