କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମହାଦୁର୍ନୀତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାହାଦୁର୍ନୀତି କିଳେଙ୍କାରୀର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି । ପୂର୍ବରୁ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ଦୁର୍ନୀତି, ଚାରାକିଣାରେ ଦୁର୍ନୀତି, ଗାନ୍ଧୀ ଭବନ ଉଦଘାଟନୀ ଉତ୍ସବରେ ଦୁର୍ନୀତି, ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମରାମତି ଓ ରଙ୍ଗ ଦେବାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହିତ ମହାବିଦ୍ୟାଳୟ ପରିସରରେ ଥିବା ୪ଟି ଛାତ୍ରୀନିବାସ ଓ ଗୋଟିଏ ଛାତ୍ରାବାସ ପାଇଁ ବର୍ଷକୁ ଆଦାୟ ହେଉଥିବା ୨କୋଟିରୁ ଉର୍ଦ୍ଧ୍ୱ ଅର୍ଥର ହିସାବ ମହାବିଦ୍ୟାଳୟ ପରିଚାଳନା ପରିଷଦରେ ଉପସ୍ଥାପନ କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏବେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ଯେ ମହାବିଦସ୍ୟାଳୟ ପରିସରରେ ଲାଗିଥିବା ସି.ସି. ଟିଭି ର ମରାମତି ନିମନ୍ତେ ପ୍ରତିମାସରେ ୨ଲକ୍ଷ ଟଙ୍କା ବ୍ୟୟ ହେଉଥିବା ନେଇ ବିଲ ପ୍ରସ୍ତୁତ କରାଯାଇ ସେହି ଅର୍ଥକୁ ତୋଷରପାତ କରାଯାଉଛି । ଏଥିସହିତ ନିକଟରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅତିଥି ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଅର୍ଥ କାରବାର କରାଯାଇଥିବା ବେଳେ ଜଣେ ପ୍ରାକ୍ତନ ଅଧ୍ୟକ୍ଷଙ୍କ ପୁଅକୁ ବେଆଇନ ଭାବେ ଦେଢମାସ ପିଛିଲା ତାରିଖରେ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମହାବିଦ୍ୟାଳୟ ପକ୍ଷରୁ ଅତିଥି ଅଧ୍ୟାପକମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ସମ୍ବାଦପତ୍ରରେ ବିଜ୍ଞାପନ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ତାରିଖରେ ମହାବିଦ୍ୟାଳୟର ସଂପୃକ୍ତ ବିଭାଗରେ ଉପସ୍ଥିତ ହୋଇ ସାକ୍ଷାତକାର ପରୀକ୍ଷା ଦେଇଥିଲେ । ଏହି ସାକ୍ଷାତକାର ପରୀକ୍ଷା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ କଲେଜ ବାହାରୁ ଏକ୍ସପୋର୍ଟ ମାନଙ୍କୁ ଅଣାଯାଇ ପରୀକ୍ଷା କରାଯାଇଥିଲା । କିନ୍ତୁ ପରୀକ୍ଷା ପରେ ଏକ୍ସପୋର୍ଟମାନେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଦେଇଥିବା ମାର୍କକୁ ଟାମ୍ପରିଂ କରାଯିବା ସହିତ ଅଯୋଗ୍ୟ ପ୍ରାର୍ଥୀମାନଙ୍କ ଠାରୁ ୩୦ରୁ ୫୦ହଜାର ଟଙ୍କା ଆଦାୟ କରାଯାଇ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ମହାବିଦ୍ୟାଳୟ କନଫରେନ୍ସ ହଲ ମରାମତି ନାମରେ ପୁନର୍ବାର ୨୧ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କନଫରେନ୍ସ ହଲରେ ଲାଗିଥିବା ଏସି, ଫ୍ୟାନ, ଲାଇଟ ସମେତ ଅନ୍ୟାନ୍ୟ ଉପକରଣ ଗୁଡିକ ସେଠାରୁ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ଏସମସ୍ତ ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗର ଶାସନସଚିବଙ୍କ ନିକଟରେ ଦାବି କରାଯାଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଯିବାକୁ ପୁରାତନ ଛାତ୍ର ପରମାନନ୍ଦ ମହାରଣା, ପ୍ରଦୀପ ସାହୁ, ବାନାମ୍ବର ସାହୁ, ମଳୟରଞ୍ଜନ ପରିଡା, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର, ବରଦାପ୍ରସନ୍ନ ମହାନ୍ତି, ଚିନ୍ମୟ ବଳ, ଅଭିନାଶ ମଲିକ, ସତ୍ୟରଞ୍ଜନ ସେନାପତି, ଦୈତାରୀ ସେଠୀ, ଶରତ ସିଂ ପ୍ରମୁଖ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି ।