୧୭ଦଫା ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଠ)ର ଗଣବିକ୍ଷୋଭ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଦାବିରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ପକ୍ଷରୁ ୧୭ଦଫା ଦାବିରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଡିଓଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କମିଟି ସଂପାଦକ କମ୍ରେଡ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ନାଉଗାଁ ବଜାରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶତାଧିକ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ହେତୁ ମୁଖ୍ୟ କିରାଣୀ ଜଗନ୍ନାଥ ମଲ୍ଲିକ ଉକ୍ତ ସ୍କାରକ ପତ୍ରକୁ ଗ୍ରହଣ କରିଥିଲେ । ଦାବି ମଧ୍ୟରେ ବିଭିନ୍ନ ସାମଗ୍ରୀର ମାତ୍ରାଧିକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା, ସମସ୍ତ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ କେନାଲ, ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ, ନାଉଗାଁରେ ଶୀତଳ ଭଣ୍ଡାର ନିର୍ମାଣ, ଦେବୀନଦୀର ଦେବୀଦୋଳ ଠାରେ ଚେକ୍ ଡ୍ୟାମ ନିର୍ମାଣ, ଭାଗଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ, ନୂତନ ଜାତୀୟ ଶିକ୍ଷାନୀତି -୨୦୨୦ ବାତିଲ୍, ବିଦ୍ୟୁତ ଆଇନ୍ ଓ ବିଦ୍ୟୁତ ସଂଶୋଧନ ବିଲ୍-୨୦୨୨ ପ୍ରତ୍ୟାହାର, ସରଜାରୀ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କୁ ସରକାରୀ ହାରରେ ପାରିଶ୍ରମିକ ପ୍ରଦାନ, ନିର୍ମାଣ ଶ୍ରମିକମାନଙ୍କୁ ପଂଜିକରଣ ପ୍ରମାଣ ପତ୍ର ପ୍ରଦାନ, ବାର୍ଦ୍ଧକ୍ୟ ଭତା ଓ ବିଧବା ଭତା ପରିମାଣ ବୃଦ୍ଧି, ଜଙ୍ଗଲ ସଂରକ୍ଷଣ ଆଇନ-୨୦୨୩ ବାତିଲ, ଗଂଗଦାହାଟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ, ଡେରିକି(ଗୋରାକଣ)-ଧୂଆଁପଦାକୁ ସଂଯୋଗୀକାରୀ ପୋଲ ନିର୍ମାଣ, ଡେରିକି ଓ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ଘଂଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବା ସହିତ ଗାରୋଇ ଓ କଂଟୁଣିଆ ଓ ଶିଖରଘାଟ ଠାରେ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା ଆଦି ରହିଛି । ଏହି ବିକ୍ଷୋଭରେ ନାଉଗାଁ ଆଂଚଳିକ କମିଟିର ସମ୍ପାଦକ ମହେଶ୍ୱର ଦାସ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ମଲ୍ଲିକ, ଆର୍ତ ଦାସ, ରୋହିତ ଓଝା, ଅଜିତ କୁମାର କାଣ୍ଡୀ, କୃତିବାସ ମହାରଣା, କାଳନ୍ଦୀ ସେଠୀ ପ୍ରମୁଖ ସାମିଲ ଥିଲେ ।