ପଂଚାୟତ ଉନ୍ନୟନ କାର୍ଯ୍ୟ ଠପ୍
ନାଉଗାଁ:ରାଜ୍ୟ ସରକାର ଜନସାଧାରଣଙ୍କ ଉନ୍ନତି ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହାର ସଠିକ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଯେପରି ସାଧାରଣ ଜନତା ଅଧିକ ଖର୍ଚ୍ଚା ନହୋଇ ନିଜର ଅଭିଯୋଗକୁ ଉପସ୍ଥାପନ କରିପାରିବ ସେଥିପାଇଁ ସରକାରୀ କାର୍ଯ୍ୟ ଦିବସରେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟ ଖୋଲା ରହିବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ୱାରା ପ୍ରଶାସନିକ ଅଧିକାରୀମାନେ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଁଚି ପାରିବେ । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାରେ ଗୋଟିଏ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦୁଇଟି ପଂଚାୟତ ଦାୟିତ୍ୱରେ ରହିଥିବା କିରାଣୀ ଥାଇ ମଧ୍ୟ ପିଇଓଙ୍କୁ ବ୍ଲକ ଡେଭଲ୍ପମେଂଟ ସେକ୍ସନ ଦାୟିତ୍ୱରେ ରଖାଯାଇଛି । ଫଳରେ ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ପଂଚାୟତର ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହେଉଥିବା ବେଳେ ସାଧାରଣ ଜନତା ନିଜର ଅଭିଯୋଗକୁ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟକୁ ଆଣି ଦେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନାଉଗାଁ ବ୍ଳକରେ ୧୬ଟି ଗ୍ରାମ ପଂଚାୟତ ରହିଛି । ଏହି ପଂଚାୟତର ଜନସାଧାରଣମାନଙ୍କ ସହିତ ପଂଚାୟତର ଉନ୍ନତି ପାଇଁ ପ୍ରତି ପଂଚାୟତରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଦାୟିତ୍ୱ ଦିଆଯାଇଛି । ନାଉଗାଁ ବ୍ଲକରେ ୧୬ଟି ପିଇଓ ଆବଶ୍ୟକ ରହିଥିବା ବେଳେ ମାତ୍ର ୧୧ଜଣ ପିଇଓ ନିଯୁକ୍ତି ଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ପିଇଓ ଦୁଇଟି ଲେଖାଁଏ ପଂଚାୟତ ଦାୟିତ୍ୱରେ ରହିଥିବା ବେଳେ ୫ଜଣ ପିଇଓ ଗୋଟିଏ ଲେଖାଏଁ ପଂଚାୟତ ଦାୟିତ୍ୱରେ ରହିଛନ୍ତି । ହେଲେ ଜଣେ ପିଇଓ ଗୋଟିଏ ପଂଚାୟତ ସହିତ ଅତିରିକ୍ତ ଦାୟିତ୍ୱ ଭାବେ ବ୍ଳକ ଡେଭଲ୍ପମେଂଟ ସେକ୍ସନ ଦାୟିତ୍ୱରେ ଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ଅଲଣା ଓ ନୁଆଗାଁ ପଂଚାୟତ ଦାୟିତ୍ୱରେ ଥିବା ପିଇଓ ଅଭିରାମ ନନ୍ଦଙ୍କୁ ଯୋଗାଣ ସାମଗ୍ରୀ ହଡପ ଘଟଣାରେ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଫଳରେ ଏହି ଦୁଇଟି ପଂଚାୟତରେ ଅତିରିକ୍ତ ଦାୟିତ୍ୱ ଭାବେ ଦୁଇ ଜଣ ପିଇଓ ଦାୟିତ୍ୱରେ ରହିବାର ସମ୍ଭାବନା ରହିଛି । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ଜନସାଧାରଣଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଠିକ ଭାବେ ପହଁଚାଇବା ପାଇଁ ପିଇଓ ମାନଙ୍କୁ ଗ୍ରାମ ପଂଚାୟତରେ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଉକ୍ତ ବ୍ଲକରେ ପାଖାପାଖି ଚାରିଜଣ କିରାଣୀ ନିଯୁକ୍ତି ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ବ୍ଳକ ଡେଭଲ୍ପମେଂଟ ସେକ୍ସନ ଦାୟିତ୍ୱ କିରାଣୀ ବଦଳରେ ପିଇଓଙ୍କୁ ରଖାଯାଇଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟରେ ବ୍ଳକ ଡେଭଲ୍ପମେଂଟ ସେକ୍ସନ ଦାୟିତ୍ୱରେ ଥିବା ପିଇଓ ଦୀର୍ଘ ବର୍ଷ ଧରି ଉକ୍ତ ବ୍ଲକରେ କାର୍ଯ୍ୟକରୀ ଆସୁଥିବାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଣଦେଣେ ପାଇଁ ସହାୟକ ହେଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏ ସଂର୍ପକରେ ବିଡିଓଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।