ଭାରତୀୟ ବାୟୁବୀରଙ୍କ ପାଇଁ ଦିନଟିଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଭାରତୀୟ ବାୟୁବୀରଙ୍କ ପାଇଁ ଦିନଟିଏ । ଅର୍ଥାତ୍ ପ୍ରତିବର୍ଷ ଅକ୍ଟୋବର ମାସ ୮ ତାରିଖଟିକୁ ଭାରତୀୟ ବାୟୁସେନା ଦିବସ ରୂପେ ପାଳନ କରାଯାଇଥାଏ । ବାୟୁସେନାର କାର୍ଯ୍ୟ ସମ୍ପର୍କରେ ସଚେତନତା ଏବଂ ପ୍ରତିରକ୍ଷା ସେବା ପ୍ରତି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହିଁ ଦିବସର ମୂଳ ଲକ୍ଷ୍ୟ । ଏହି ଅବସରରେ ଭାରତୀୟ ବାୟୁବୀରଙ୍କୁ ଶ୍ରଦ୍ଧା, ସମ୍ମାନ ଜଣାଇ କାଠରେ ତିଆରି ଭାସ୍କର୍ଯ୍ୟ କଳାରେ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । କଅଁଳ ହାତରେ କାଠରେ ତିଆରିଛନ୍ତି ଭାରତର ବାହୁବଳୀ ଲଢ଼ୁଆ ଯୁଦ୍ଧ ବିମାନ । ତ୍ରିରଙ୍ଗା ରଙ୍ଗରେ ସୁସଜ୍ଜିତ କରି ଭାରତର ବାୟୁବୀରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଶାନ୍ତନୁ ଏହି ପରିପ୍ରେକ୍ଷୀରେ କୁହନ୍ତି ଆମ ଦେଶରେ ବାହୁବଳୀ ବାୟୁବୀରଙ୍କ ପରାକ୍ରମର ଅଜସ୍ର ଉଦାହରଣ ରହିଛି । କାର୍ଗିଲ୍ ଯୁଦ୍ଧ ହେଉ କି ବାଲାକୋଟ୍ର ଏୟାର ଷ୍ଟ୍ରାଇକ୍ ହେଉ ସବୁଠି ଭାରତୀୟ ବାୟୁବୀର ନିଜର ପରାକ୍ରମ ଦେଖାଇଛନ୍ତି । ଭାରତର ବାହୁବଳୀ ଲଢ଼ୁଆ ବିମାନ ଯେତେବେଳେ ଆକାଶ ମାର୍ଗରେ ଗର୍ଜନ କରି ଶତ୍ରୁ ଆଡକୁ ମାଡ଼ିଯାଏ, ସେତେବେଳେ ଶତ୍ରୁର ଛାତି ଥରି ଉଠିଥାଏ । ଆଉ ଭୟରେ ଛତ୍ରଭଙ୍ଗ ହୋଇଥାନ୍ତି ଶତ୍ରୁ । ଏହି ପବିତ୍ର ଦିବସରେ ଭାରତର ବାୟୁବୀରଙ୍କୁ କୋଟି କୋଟି ସଲାମ୍, ଜୟ ଭାରତୀୟ ବାୟୁଯୋଦ୍ଧା, ଜୟ ହୋ ଭାରତ ବୋଲି ଶାନ୍ତନୁ ଖୁସି ପ୍ରକଟ କରି କହିଛନ୍ତି ।