ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହାନ ଯାଞ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ି ଯାଞ୍ଚ କରାଯାଇଛି। ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସହାୟତାରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର ସାହୁଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଟ୍ରାଫିକ ସବ୍‌ଇନ୍ସପେକ୍ଟର ଶିବାନୀ ମାଝୀ ଏବଂ ଦାରିଙ୍ଗବାଡି ଥାନାର ସବ୍‌ଇନ୍ସପେକ୍ଟର ଜ୍ୟାକ୍ସନ ମାଝୀଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ମଙ୍ଗଳବାର ଯାନବାହନ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଦ୍ରୁତ ଗାଡ଼ି ଚାଳକଙ୍କୁ ସ୍ପିଡ଼ ହଣ୍ଟର କ୍ୟାମେରା ଦ୍ୱାରା ଧରାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ସେହିପରି ବିନା ହେଲମେଟରେ ବାଇକ୍‌ ଚଳାଇବା ଏବଂ ଗୋଟିଏ ବାଇକ୍‌ରେ ଏକାଧିକ ବ୍ୟକ୍ତି ବସି ଯାଉଥିବା ବାଇକ୍‌ ଚାଳକଙ୍କୁ ଧରି ଫାଇନ୍‌ ଆଦାୟ କରାଯାଇଥିଲା। ସେହିପର ସିଟ୍‌ ବେଲ୍ଟ ଯାଞ୍ଚ ସହ ବ୍ରିଥ୍‌ ଆନାଲାଇଜର ଦ୍ୱାରା ମଦ୍ୟପ ଚାଳକଙ୍କୁ ଧରି ଡ୍ରାଇଭିଂ ଲାଇସନ୍ସ ରଦ୍ଦ କରାଯାଇଥିଲା। ପ୍ରତି ମଙ୍ଗଳବାର ଦାରିଙ୍ଗବାଡ଼ିର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଉଦ୍ୟମ ସହ ଦୁର୍ଘଟଣା ରୋକିବା ପାଇଁ ଏହି ଯାଞ୍ଚ କରାଯାଉଥିବା ଟ୍ରାଫିକ ସବ୍‌ଇନ୍ସପେକ୍ଟର ଶିବାନୀ ମାଝୀ କହିଛନ୍ତି। ଆଗକୁ ଏହା ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଯାଞ୍ଚ ବେଳେ ୩୨ଟି ଚାଲାଣ କଟାଯାଇଥିବା ବେଳେ ମୋଟ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିରେ ୫ଜଣ ମଦ୍ୟପ ଚାଳକଙ୍କ ଡ୍ରାଇଭିଂ ଲାଇସନ୍ସ ରଦ୍ଦ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଜିଲାର କ. ନୂଆଗାଁ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବାଲିଗୁଡା ଫୁଲବାଣୀ ରାସ୍ତାରେ ଗାଡିମୋଟର ଯାଞ୍ଚ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ