ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଆସିଲେନି ଜିଲ୍ଲାପାଳ
ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କିମ୍ବା ଏସ.ପି ଏହି ଅଭିଯୋଗକୁ ନ ଆସିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସ.ପି ଯୋଗଦେଇଥିବାବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୋଟ ୧୮୨ଟି ଅଭିଯୋଗର ଶୁଣାଣି ହୋଇଥିଲା । ବିଶେଷକରି ୮୦ଭାଗ ଅଭିଯୋଗ କେବଳ ଆବାସ ଯୋଜନା ଘର ଓ ଭତ୍ତା ପାଇଁ ଆସିଥିଲା । ଆଜି ୨୩ଜଣ ଭିନ୍ନକ୍ଷମଙ୍କୁ ମଟରବାଇକ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଆଜିର ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା, ଅତିରିକ୍ତ ଏସପି ଦିଲ୍ଲିପ କୁମାର ନାୟକ, ଆନନ୍ଦପୁର ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗମାନ ଶୁଣି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ପଦାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଶୁଣାଣିରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀ ନାଇକ, ଜିଲ୍ଲା ସାମାଜିକ ଭିନ୍ନକ୍ଷମ ଶଶକ୍ତିକରଣ ଅଧିକାରୀ ବିପ୍ଳବ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଅଜିତ କୁମାର ରଥ, ହାଟଡିହିର ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କ ସମେତ ଅନେକ ବିଭାଗର ଜିଲ୍ଲା ପଦାଧିକାରୀ ମାନେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ମରୈଗାଁ ବଳିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ନନ୍ଦିପଦା ଗ୍ରାମର ବରିଷ୍ଠ ନାଗରିକ ଭଗବାନ ରାଉତ ଅଭିଯୋଗ କରିବା ସହିତ ଥିବା ମାଟି ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପକ୍କା ସଡକ ନିର୍ମାଣ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନନ୍ଦିପଦା ଗ୍ରାମର ଭଗବାନ ରାଉତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଗତ ୨୦୨୨ରେ ଏହି ରାସ୍ତା ଅନୁଧ୍ୟାନ କରି ରାସ୍ତା ନିର୍ମାଣ ଲାଗି ପ୍ରତିଶୃତି ଦେଇଥିଲେବି ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅଗ୍ରଗତି କାହିଁକି ହେଲା ନାହିଁ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେହିପରି ବଞ୍ଚୋ ଗ୍ରାମରେ ଥିବା ଦେବୋତ୍ତର ବିଭାଗର ଜମି ଗୁଡିକ ଜବରଦଖଲ ହୋଇ ରହିଥିବାରୁ ଜବରଦଖଲ ହଟାଇବା ପାଇଁ ଅମୀୟ ବରାଳ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଆନନ୍ଦପୁର-ଭଦ୍ରକ ରାସ୍ତାରୁ ଜବର ଦଖଲ ହଟାଇବା ଓ ରାସ୍ତା କଡରେ ଥିବା ବିଭିନ୍ନ ଗଛଲଟା ବଢ଼ିଯାଇ ଦୁର୍ଘଟଣା ମାନ ଘଟୁଥିବାରୁ ଏହାକୁ ହଟାଇବା ଲାଗି ସାମ୍ବାଦିକ ଦେବବ୍ରତ ବେହେରା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲାର ବୃଦ୍ଧବୃଦ୍ଧା ମାନଙ୍କୁ ପାଞ୍ଚଶହ ଟଙ୍କା ଭତ୍ତା ଦିଯାଉଥିବାବେଳେ ସେତିକିରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋିପଡୁଛି । ତେଣୁ ଡି.ଏମ.ଏଫ. ଫଣ୍ଡରୁ ଆଉ ଅଧିକ ଦୁଇଶହ ଟଙ୍କା ଲେଖାଏଁ ବୃଦ୍ଧିକରି ପ୍ରଦାନ କରିବାକୁ ସାମ୍ବାଦିକ ଗୋପାଳକୃଷ୍ଣ ରାଉତ ଅଭିଯୋଗ କରିଥିଲେ । ସେହିପରି ଜିଲ୍ଲାପାଳଙ୍କ ଜନଶୁଣାଣିରେ ବାରମ୍ବାର ଅଭିଯୋଗ କରୁଥିଲେବି କୌଣସି ସୁଫଳ ମିଳୁନଥିବା କେବଳ ରସିଦ ଖଣ୍ଡିଏ ଧରିବା ସାର ହେଉଛି ବୋଲି ଡଅଁର ପଞ୍ଚାୟତ ସରଳା ଗ୍ରାମର ରୁଦ୍ର ନାରାୟଣ ସା, କେ ବାଲିପାଳ ଗ୍ରାମର ବୁଦ୍ଧିରାମ ପୁର୍ତ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି । ରୁଦ୍ରନାରାୟଣଙ୍କ ଅଭିଯୋଗ ଯେ ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାରମ୍ବାର ଶଳଣିଆଁ ଡାକ୍ତରଖାନାରେ ଡାକ୍ତର ସମସ୍ୟା, ସରଳା ଆଦିବାସୀ ସାହି ବାସିନ୍ଦାଙ୍କୁ ଆବାସ ଯୋଜନା ପ୍ରଦାନ, ସରଳା ଆଦିବାସୀ ସାହିକୁ ପକ୍କା ସଡକ ନିର୍ମାଣ, ସରଳା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଣୀଗୃହ ନିର୍ମାଣ ଲାଗି ଦାବି କରିଆସୁତôଲେବି କୌଣସି ସୁଫଳ ମିଳି ପାରୁନି । ସେହିପରି ବୁଦ୍ଧିରାମ ପୁର୍ତ୍ତିଙ୍କ କହିବାକଥା ଯେ ଗତ ଦୁଇବର୍ଷ ହେଲା ଜିଲ୍ଲାପାଳଙ୍କ ପ୍ରତି ଜନଶୁଣାଣିରେ କେ ବାଲିପାଳ ପଞ୍ଚାୟତର ସମସ୍ୟା ଗୁଡିକ ପ୍ରତି ଜିଲ୍ଲାପାଳଙ୍କୁ ଅଭିଯୋଗ କରୁଥିଲେବି କୌଣସି ସୁଫଳ ମିଳୁନି । ଏହି ଶୁଣାଣି କେବଳ ପ୍ରହସନ ଭଳି ଲାଗୁଛି ବୋଲି ସେ କହିଛନ୍ତି ।


