ନ୍ୟାୟ ପାଇବାରୁ ବଞ୍ଚିତ ଅସହାୟ ଗରିବ ଓ ମଧ୍ୟବିତ୍ତ

ସ୍ୱାଧୀନତାର ୭୬ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଆଜିବି ଅନେକ ଗରିବ ଓ ମଧ୍ୟବିତ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି | ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ଅନେକ ଗରିବ ଓ ମଧ୍ୟବିତ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ ହେଉଛନ୍ତି |ଏଥିପାଇଁ ଆମ ସରକାର ଓ ପୁଲିସ ପ୍ରଶାସନର ଦାୟିତ୍ୱହୀନତା ସମ୍ବେଦନହୀନତା ଏବଂ ଭ୍ରଷ୍ଟବ୍ୟବସ୍ଥା ସମ୍ପୂର୍ଣ ଭାବେ ଉତ୍ତରଦାୟୀ | ଦୀର୍ଘ ୨୦୦ବର୍ଷରୁ ଅଧିକ ସମୟ ପ୍ରଯ୍ୟନ୍ତ ଅହଂକାରୀ ନିଷ୍ଠୁର ଅତ୍ୟାଚାରୀ ଇଂରେଜ ମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ |ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଭଗତ ସିଂ ଜୟଗୁରୁ, ଶୁକଦେବ, ସୁବାଷ ବୋଷ,ତାନ୍ତିଆଟୋପେ ରାଣୀଲଷ୍ମୀବାଇ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କର ତ୍ୟାଗ, ବଳିଦାନ,ଆପ୍ରାଣ ଉଦ୍ୟମ,ମାତୃଭୂମି ପାଇଁ ନିସ୍ଵାର୍ଥ ଭଲପାଇବା ପାଇଁ ଆମ ଦେଶ ଇଂରେଜମାନଙ୍କ ଗୁଲାମୀରୁ ମୁକ୍ତ ହେଇଥିଲା | ଆମ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ବପ୍ନ, ଆଶା, ବିଶ୍ୱାସ, ଭରସା ଥିଲା ସ୍ୱାଧୀନତା ପ୍ରାପ୍ତି ପରେ ଗରିବ ଓ ମଧ୍ୟବିତ୍ତ ଅସହାୟ ଜନତା ଯେଉଁମାନେ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ଥି ସଂଘର୍ଷ କରୁଛନ୍ଥି ସେମାନଙ୍କ ଜୀବନରେ ପରିବର୍ତ୍ତନ ଘଟିବ, ସେମାନଙ୍କୁ ନ୍ୟାୟ ମିଳିବ, ଉନ୍ନତ ଶିକ୍ଷା ସ୍ୱାସ୍ଥ୍ୟ ସେବା ଏବଂ ଉତ୍ତମ ପୃଷ୍ଟିକର ଖାଦ୍ୟ ମିଳିବ |କିନ୍ତୁ ଆଜିବି ଅନେକ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଏହା “ଆକାଶ କଇଁଆ ଚିଲିକା ମାଛ” ସଦୃଶ |ଆମ ସରକାର ଜନ୍ମ ରୁ ମୃତ୍ୟୁ ପ୍ରଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି | ମାଳ ମାଳ ବିଶ୍ୱସ୍ତରୀୟ ଐତିହାସିକ ଯୋଜନା ଲାଗୁ ପାଇଁ ପ୍ରଶଂସା ଏବଂ ପୁରସ୍କାର ଗୋଟାଉଛନ୍ତି | କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ସ୍ୱାଧୀନତାର ୭୬ବର୍ଷ ପରେ ମଧ୍ୟ ଗରିବ ମଧ୍ୟବିତ୍ତ ଅସହାୟ ଜନତା ନ୍ୟାୟ ପାଇବା ପାଇଁ ଆଜିବି ସଂଘର୍ଷ କରୁଛନ୍ତି | “ତେଲିଆ ମୁଣ୍ଡରେ ତେଲ “ଏହି ଉକ୍ତି ସତ୍ୟ ପ୍ରମାଣିତ ହେଉଛି |ଆମ ଦେଶର ପୂର୍ବତନ ଆଇନ ମନ୍ତ୍ରୀ କିରଣ ରିଜୁ ରାଜ୍ୟସଭା ରେ ଦେଇଥିବା ମନ୍ତବ୍ୟ ଅନୁସାରେ ବର୍ତ୍ତମାନ ଆମ ଦେଶ ରେ ପାଖା ପାଖି ୫ କୋଟି ରୁ ଅଧିକ ମାମଲା ବିଭିନ୍ନ କୋର୍ଟ ରେ ବିଚାରଧୀନ ଅଛି | ଭାରତ ର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ରେ ୬୯୦୦୦ ରୁ ଅଧିକ ମାମଲା ଏବେବି ବିଚାରଧୀନ ଅଛି | ଏହା ବ୍ୟତୀତ ଆମ ଦେଶର ୨୫ ଟି ହାଇକୋର୍ଟ ରେ ୫୯ ଲକ୍ଷ ମାମଲା ଏବେବି ବିଚାରଧୀନ ଅଛି | ଏହିସବୁ ମାମଲା ର ତୁରନ୍ତ ବିଚାର ପାଇଁ ଆମ ସରକାର ଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ | ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡ଼ମ୍ବନା ର ବିଷୟ | ଆମ ବ୍ୟବସ୍ଥା ର ତ୍ରୁଟି ପାଇଁ ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ସାଧାରଣ ଜନତା ନ୍ୟାୟ ପାଇବା ରୁ ବଞ୍ଚିତ ହେଉଛନ୍ତି | ଦିନକୁ ଦିନ ସାଧାରଣ ଜନତା ଆମ ସରକାର , ପ୍ରଶାସନ ଏବଂ ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଛନ୍ତି | ରାଜଧାନୀ ଭୁବନେଶ୍ୱର ଏବଂ ବ୍ୟସ୍ତବହୁଳ ସର୍ବପୁରାତନ କଟକ ସହରକୁ ଅପରାଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ମୁକ୍ତ କରିବା ପାଇଁ ଓଡିଶା ସରକାର ୨୦୦୮ରେ କମିଶନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ହୋଇଥିଲା | କମିଶନରେଟ ପୁଲିସର ଅଫିସିଆଲ ଲୋଗୋରେ “ଆମେ ଯତ୍ନବାନ -ଆମେ ସାହସୀ” ସ୍ଲୋଗାନ ସ୍ଥାନିତ ହୋଇଛି | କିନ୍ତୁ ନେତା, ମନ୍ତ୍ରୀ, ରାଜନୈତିକଦଳର ବ୍ୟକ୍ତିବିଶେଷ ଏବଂ ତାଙ୍କର ଛତ୍ରଛାୟାରେ ଗଢି ଉଠିଥିବା ଅସାମାଜିକ ତତ୍ତ୍ୱ, ଗୁଣ୍ଡା, କ୍ରିମିନାଲ,ଅପରାଧୀ, ଗ୍ୟାଙ୍ଗଷ୍ଟାର ଭଳି ପ୍ରଭାବଶାଳୀ କୋଟିପତି ଯେଉଁମାନେ ବିଭିନ୍ନ ଅପରାଧ ଯେପରି ଧର୍ଷଣ, ଗଣଧର୍ଷଣ, ହତ୍ୟା,ଲୁଣ୍ଠନ, ଦଙ୍ଗା, ଗ୍ୟାଙ୍ଗୱାର,ଡକାୟତି ଭଳି ଜଘନ୍ୟ କାର୍ଯ୍ୟରେ ସଂଶିଷ୍ଟ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ କମିଶନରେଟ ପୁଲିସ ପଛଘୁଞ୍ଚା ଦେଉଛି | ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡମ୍ବନାର ବିଷୟ | କେତେକ ଅସାଧୁ ଭ୍ରଷ୍ଟାଚାରୀ ପୋଲିସ ଅଫିସର ମାନଙ୍କ ସହିତ ଅପରାଧୀ ଅସାମାଜିକ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ରହିଥିବାର ବାରମ୍ବାର ଅଭିଯୋଗ ହୁଏ ଏବଂ ଅନେକାଂଶରେ ଏହା ସତ୍ୟ ପ୍ରମାଣିତ ହୁଏ |କମିଶନରେଟ ପୁଲିସ ଅଣ୍ଡରରେ ଏବେ କଟକ ଓ ଭୁବନେଶ୍ୱରର ୪୩ଟିପୁଲିସ ଷ୍ଟେସନ କାର୍ଯ୍ୟ କରୁଛି | ଓଡିଶା ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ୨୦୨୧ରେ ୧,୫୫୪୨୦ଟି ମାମଲା କମିଶନରେଟ ପୁଲିସ ପଞ୍ଜିକୃତ କରିଥିଲା ଏବଂ ୨୦୨୨ରେ ଏହା ରେକର୍ଡ ସ୍ତର ରେ ପହଞ୍ଚିଥିଲା ଯାହାକି ୧,୭୮୧୯୦ଟି ମାମଲା | ଏହି ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ଥିଲା | ଏହିଭଳି ପରିସ୍ଥିତିର ବାରମ୍ବାର ପୁନରାବୃତ୍ତି ଘଟିଲେ ଏହା ଆମ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର ଓ କଟକ ସହର କ୍ରାଇମ୍ କ୍ୟାପିଟାଲରେ ପରିଗଣିତ ହେବ |ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରର ୨୦୨୧ତଥ୍ୟ ଅନୁସାରେ ଅପରାଧୀ ମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଫାଇଲ କରିବାରେ ଆମ ରାଜ୍ୟ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ରହିଛି | ଓଡିଶାର କନଭିକସନ ରେଟ ମାତ୍ର ୧୧.୨% ରହିଛି | ଏହା ଅତ୍ୟନ୍ତ ନୈରାଶ୍ୟଜନକ ଅଟେ | ଓଡିଶା ହାଇକୋର୍ଟଙ୍କ ଅଫିସିଆଲ ଡାଟା ଅନୁସାରେ ୦୯-ସେପ୍ଟେମ୍ବର -୨୩ ସୁଦ୍ଧା ସମୁଦାୟ ୧,୪୫୨୮୧ଟି ମାମଲା ହାଇକୋର୍ଟରେ ବିଚାର ନହୋଇ ଏବେବି ପଡିରହିଛି | ବିଭିନ୍ନ କୋର୍ଟରେ ବିଚାରଧୀନ ମାମଲା ଆମରାଜ୍ୟ ଓଡିଶାରେ ୯୮.୭% | ୨୦୨୧ରେ ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୬,୯୫,୧୯୮ଟି ମାମଲା ଏବେବି ବିଚାର ନହୋଇ ପଡ଼ିରହିଛି | ସେହି ମାମଲା ଗୁଡ଼ିକର ଟ୍ରାଇଲ ଆଜି ପ୍ରଯ୍ୟନ୍ତ ଆରମ୍ଭ ହୋଇନାହିଁ | ଏପରି ଅନେକ ଘଟଣା ଯାହାକି ପୁଲିସର କାର୍ଯ୍ୟଦକ୍ଷତା ଏବଂ ପାରିବାପଣିଆ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି | ଗତ କିଛି ବର୍ଷ ହେବ ଆମ ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରରେ ଅସାମାଜିକ ବ୍ୟକ୍ତି,ମଦ୍ୟପ, ପେଶାଦାର ଦୃଦାନ୍ତ ଅପରାଧୀ ଓ ଡକାୟତ ମାନଙ୍କର ଭୂସ୍ୱର୍ଗ ପାଲଟିଛି | ସେମାନେ ଅତ୍ୟନ୍ତ ଚତୁରତାର ସହ ବେଫିକର ହୋଇ ଅପରାଧ ଘଟାଇ ଫେରାର ହୋଇଯାଉଛନ୍ତି | ଏପରିକି ରାଜଧାନୀରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ପାଦ୍ରୁଭାବ ଏତେ ମାତ୍ରାରେ ବଢ଼ିଯାଇଛି ସେମାନେ ଏବେ ପୁଲିସ ଅଫିସରମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି | ହକି ବିଶ୍ୱକପ ଅବ୍ୟାହତି ପୂର୍ବରୁ ଘଟିଥିଲା ଏକ ଅଭାବନୀୟ ଘଟଣା | ଭୁବନେଶ୍ୱର ମହିଳା ଥାନାରେ ଥିବା ସବ୍ଇନସ୍ପକ୍ଟର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ପାର୍ଶ୍ଵରେ ଥିବା ରିଜର୍ବ ଅଫିସ କ୍ଵାଟର୍ସକୁ ଫେରୁଥିଲେ | ସେତେବେଳେ ରାତି ୧:୩୦ ହୋଇଥିଲା | ସେହି ସମୟରେ ଇନୋଭା ଗାଡିରେ ଥିବା ୩ଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ପିଛା କରିଥିଲେ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଗାଡିରେ ଥିବା ୩ଜଣ ଅସାମାଜିକ ବ୍ୟକ୍ତି ମଧ୍ୟ୍ୟରୁ ଜଣେ ଖଣ୍ଡା ଧରି ଚିତ୍କାର କରିଥିଲା | ପ୍ରାଣ ବିକଳରେ ସେହି ମହିଳା ଅଫିସର ସାହାଯ୍ୟ ପାଇଁ ନିଜର ସ୍ୱାମୀ ଓ ଭାଇଙ୍କୁ ଡାକିଥିଲେ | ଏବେ କିଛିଦିନ ପୂର୍ବରୁ ଏୟାରଫିଲଡ ଥାନା ଅଞ୍ଚଳରେ ଗୋଟିଏ ଦିନରେ ୩ଟି ହୃଦୟ ବିଦାରକ ଘଟଣା ପୁଣି ଥରେ କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି | ଯୌତୁକ ପାଇଁ ଜଣେ ନିରୀହ ବଧୂ ଉପରେ ବର୍ବରତା ଓ ନିଷ୍ଠୁରତାର ସହ ହତ୍ୟା କରାଯାଇଛି | ଆଉ ଜଣେ ଅସାମାଜିକ ବ୍ୟକ୍ତି ୪ବର୍ଷର ଶିଶୁ କନ୍ୟାକୁ ବର୍ବରତାର ସହ ଦୁଷ୍କର୍ମ କରିବା ପରେ ଅତି ଜଘନ୍ୟ ଭାବେ ତଣ୍ଟିକାଟି ହତ୍ୟା କରିଥିଲା | ଏହା ଅତ୍ୟନ୍ତ ହୃଦୟ ବିଦାରକ ଓ ଲୋମହର୍ଷଣକାରୀ ଘଟଣା | ଆଉ ଜଣେ ବ୍ୟକ୍ତି ଯିଏକି ସଦାସର୍ବଦା ନିଶାଦ୍ରବ୍ୟ ସେବନ କରେ, ସେ ନିଜର ପ୍ରେମିକାକୁ ହତ୍ୟା କରି ଝୁଲାଇ ଦେଇଥିଲା | ଗୋଟିଏ ଦିନରେ ଭୁବନେଶ୍ୱର ଏୟାରଫିଲଡ଼ ଅଞ୍ଚଳରେ ତିନିଜଣ ମହିଳାଙ୍କୁ ହତ୍ୟା କମିଶନରେଟ ପୁଲିସର ଦାୟିତ୍ବହୀନତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚି଼ହ୍ନ ଲଗାଇଛି |ତେଣୁ ସମୟ ଆସିଛି ଆମ ସରକାର ଏବଂ ପୁଲିସ ପ୍ରଶାସନ ଅପରାଧୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତତ୍ପରତା ଓ ସମ୍ଭେଦନତା ପ୍ରକାଶ କରନ୍ତୁ | ସମସ୍ତଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ | ଆମ ଭାରତୀୟ ଆଇନ ବ୍ୟବସ୍ଥାରେ ଏହା ଉଲ୍ଲେଖ ଅଛି ଯେ ଆଇନର ଉର୍ଦ୍ଧରେ କେହି ନୁହଁନ୍ତି | ଅପରାଧୀ ଯେତେବି ଶକ୍ତିଶାଳୀ, ପ୍ରଭାବଶାଳୀ, କ୍ଷମତାର ଅଧିକାରୀ ହୋଇଥିଲେବି ଆଇନି ଅନୁସାରେ ସେ ନିଶ୍ଚିତ ଦଣ୍ଡିତ ହେବେ | କିନ୍ତୁ ବାସ୍ତବରେ ଆମ ସମାଜରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୁଏ | ଯାହା ପାଖରେ ଅଜସ୍ର ଅର୍ଥ,କ୍ଷମତା, ପଦପଦବୀ ଥାଏ ସେ ଆଇନକୁ ପ୍ରଭାବିତ କରିପାରେ | “ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ” ଏହି ଉକ୍ତି ସତ୍ୟ ପ୍ରମାଣିତ ହୁଏ | ଏବେ ଘଟିଥିବା ରେଞ୍ଜରୋଭର ଦୁର୍ଘଟଣା ମାମଲା ଏହାର ଜ୍ୱଳନ୍ତ ଉଦାହରଣ | କମିଶନରରେଟ ମୁଖ୍ୟାଳୟ ନିକଟ ପାୱାରହାଉସ ଛକରେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସଙ୍କ ରେଞ୍ଜରୋଭର ଗାଡି ଧକ୍କାରେ ଜଣେ ନିରୀହ ଯୁବତୀ ଲୋପାମୁଦ୍ରାଙ୍କ ଜୀବନ ପ୍ରଦୀପ ଲିଭିଯାଇଛି ଏବଂ ଆଉ ଜଣେ ଅବସରପ୍ରାପ୍ତ ସିଆଇଏସଫ୍ ଯବାନ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | କିନ୍ତୁ ଅତ୍ୟନ୍ତ ବିଡମ୍ବନାର ବିଷୟ ଏହାକି କମିଶନରେଟ ପୁଲିସ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛି |
ଆଶୁତୋଷ ନାୟକ
ଗୋପାଳପୁର, ବାଲେଶ୍ୱର

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ