ଜିଲ୍ଲାସ୍ତରୀୟ ୨ ଦିନିଆ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସମଗ୍ର ଶିକ୍ଷା ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଚଳିତ ବର୍ଷ ବିଶ୍ୱ ଦିବ୍ୟାଙ୍ଗ ଦିବସ ଡିସେମ୍ବର ୨ ଓ ୩ ତାରିଖ ଦୁଇଦିନ ଧରି ଛତ୍ରପୁର ଷ୍ଟାଡିୟମ୍ ପରିସରରେ ସମହାସମାରୋହରେ ପାଳିତ ହେଉଅଛି । ଆଜି ପ୍ରଥମ ଦିବସରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହାସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ୨୨ଟି ବ୍ଲକ ପକ୍ଷରୁ ଆୟୋଜିତ କରାଯାଇଥିବା ବିଭିନ୍ନ ଷ୍ଟଲ୍ ଗୁଡିକୁ ପରିଦର୍ଶନ କରିଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାସ୍ତରୀୟ ଏଭଳି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ଖୁସି ଜାହିର କରିଥିବା ବେଳେ ନିଜ ଭିତରେ ଥିବା ଦକ୍ଷତା ପ୍ରତିଭା ପ୍ରଦର୍ଶନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଦେଖାଇ ଦେଇଛନ୍ତି ଯେ, ସେମାନେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ସହାୟତା ଯୋଗାଇ ଦିଆଯାଉଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମ୍ୟୁଜିକାଲ୍ ଚେୟରା, ବେଲୁନ୍ ଫୁଟା, ହ୍ୱିଲ୍ ଚୋୟର ଦୌଡ, ଶ୍ରବଣବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଦୌଡ ଏବଂ ବିଭିନ୍ନ କ୍ରୀଡାର ହୋଇଥିଲା । ସେହିପରି ଚିତ୍ରାଙ୍କନ, ସଙ୍ଗୀତ, ନାଚଗୀତରେ ରୁଚି ରଖିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଏହି ମଞ୍ଚରେ ସେମାନଙ୍କ ପ୍ରତିଭା ଦେଖାଇଛନ୍ତି । ବିଶେଷ କରି ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏକତ୍ରିତ କରାଯାଇ ସେମାନଙ୍କ ମଧ୍ୟରେ ଏକ ଉତ୍ତମ ବାତାବରଣ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ପକ୍ଷରୁ ଛତ୍ରପୁର ଠାରେ ୨ ଦିନିଆ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସମଗ୍ର ଶିକ୍ଷାର ସମସ୍ତ ବିଭାଗର ସଂଯୋଜକଙ୍କ ସମେତ ସମସ୍ତ ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ, ବ୍ଲକ ସମ୍ବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଶିକ୍ଷା ସ୍ୱେଚ୍ଛାସେବୀମାନେ ସହଯୋଗ କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଏହି ଉଦ୍‌ଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା,ସମଗ୍ର ଶିକ୍ଷାର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀମାନେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ