ସ୍କୁଲ ରାତ୍ରି ଜଗୁଆଳିକୁ ବହିଷ୍କାର ପାଇଁ ଦାବି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକ ରାତ୍ର ଜଗୁଆଳିଙ୍କୁ ବହିଷ୍କାର ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରାମର ଗଦାଧର ମଳିକ ଜଣେ ନିଶାଶକ୍ତ ବ୍ୟକ୍ତି ତଥା ଅସାମାଜିକ ପ୍ରବୃତିର ଅଟନ୍ତି। ତାଙ୍କୁ ସ୍କୁଲର ରାତ୍ରି ଜଗୁଆଳି ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି। ବ୍ୟକ୍ତି ଜଣକ ନିଯୁକ୍ତି ପାଇବା ଦିନ ଠାରୁ ସ୍କୁଲ ପରିସରରୁ ଅନେକ ବାର ଚୋରି ହୋଇଥିବା ବେଳେ ଅନେକ ଅସାମାଜିକ ଘଟଣା ମଧ୍ୟ ଘଟୁଛି। ଯାହାକୁ ନେଇ ମକଦ୍ଦମା ଯାଏଁ କଥା ଯାଇଛି। ତେଣୁ ଏଭଳି ବ୍ୟକ୍ତିକୁ ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରୁ ତୁରନ୍ତ ବହିଷ୍କାର ପାଇଁ ଅଭିଭାବକ ସସ୍ମିତା ମଲ୍ଲିକ, ରଞ୍ଜନ ମଲ୍ଲିକ, ପ୍ରଭାତୀ ମଳିକ, ଅର୍ଜୁନ ମଳିକ, ରୂପକ ମଳିକ, ପ୍ରଶାନ୍ତ ମଳିକ, ମାନସୀ ମଳିକ ପ୍ରମୁଖ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାଛଡା ପ୍ରଧାନ ଶିକ୍ଷୟତ୍ରୀ ରୋଜାଲୀନ ପ୍ରିୟଦର୍ଶନୀ ଜେନାଙ୍କୁ ଅଭିଭାବକ ମାନେ ସାକ୍ଷାତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାଶେ ଦାବି କରିଛନ୍ତି।


