ରାଜ୍ୟ ପ୍ରଶାସନରେ ୫-ଟି ଏକ ବଡ଼ ବିପର୍ଯ୍ୟୟ ଓ ପ୍ରଶାସନିକ ଦୁର୍ଗତିର ମୁଖ୍ୟ କାରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟରେ ପ୍ରାୟ ସମସ୍ତ ବିଭାଗରେ ବା ସରକାରୀ କାର୍ଯ୍ୟରେ ୫-ଟି ଓ ଏହାର ବର୍ତ୍ତମାନର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରଚାର ହେଉଛି । ୫-ଟି ନାମରେ ଶ୍ରୀ ପାଣ୍ଡିଆନ ସମସ୍ତ ବିଭାଗର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ସମୀକ୍ଷା, ଅନୁଧ୍ୟାନ କରୁଛନ୍ତି ଏବଂ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କୌଣସି କାର୍ଯ୍ୟକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ, ମୁଖ୍ୟ ଶାସନ ସଚିବ ବା ଡେଭଲପମେଣ୍ଟ କମିଶନର ସମୀକ୍ଷା କରିବାର ଦେଖିବାକୁ ମିଳୁନାହିଁ । ନଦୀ ପୋଲ ନିର୍ମାଣ ଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ ନିର୍ମାଣ, ମନ୍ଦିର ନିର୍ମାଣ ଇତ୍ୟାଦି କାର୍ଯ୍ୟ ଶ୍ରୀ ପାଣ୍ଡିଆନ କରୁଛନ୍ତି । ତେଣୁ ବସ୍ତୁତଃ ପାଣ୍ଡିଆନଙ୍କ କବଳରେ ବା ନିୟନ୍ତ୍ରଣରେ ରାଜ୍ୟ ପ୍ରଶାସନ କଳ । ଏହି ୫-ଟି ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରଖିବା ପାଇଁ ପ୍ରସ୍ତୁତ ହୋଇଛି ଏବଂ ଏହି କାର୍ଯ୍ୟ କି ତଦାରଖ ପାଇଁ ଶ୍ରୀ ପାଣ୍ଡିଆନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଛନ୍ତି । କିନ୍ତୁ ବାସ୍ତବରେ ପ୍ରଶାସନରେ ସ୍ୱଚ୍ଛତାର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ କି ସରକାରୀ ଅଧିକାରୀଙ୍କ ଲୋକଙ୍କ ନିକଟରେ ଉତ୍ତରଦାୟିତ୍ୱ ଥିବାର ମଧ୍ୟ ଦେଖାଯାଉ ନାହିଁ । ବରଂ ୫-ଟି ନାମରେ ଗୁଡ଼ାଏ ମିଛ ପ୍ରଚାର ହେଉଛି ଏବଂ ପାଣ୍ଡିଆନଙ୍କୁ ଏକ ମହାମାନବ ଭାବେ ପ୍ରଚାର କରାଯାଉଛି । ଏହିସବୁ ପ୍ରଚାର ପାଇଁ ଗଣମାଧ୍ୟମକୁ ପ୍ରଚୁର ଅର୍ଥ ଦିଆଯାଇଛି । ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ଯେ, ରାଜ୍ୟ ପ୍ରଶାସନର ଦୁର୍ଗତିର ବଡ଼ କାରଣ ହୋଇଛି ୫-ଟି ବ୍ୟବସ୍ଥା । ସ୍ୱଚ୍ଛତା କଥା କହୁଥିବା ୫-ଟି ସମସ୍ତ ତଥ୍ୟକୁ ଗୋପନୀୟ କରି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି, ଭି.କେ ପାଣ୍ଡିଆନଙ୍କ କୌଣସି ତଥ୍ୟ ସରକାରୀ ଦପ୍ତରରୁ ମିଳୁନାହିଁ । ଏହାର କେତେକ ସ୍ପଷ୍ଟଚିତ୍ର ଆମ୍ଭେ ଏଠାରେ ଉପସ୍ଥାପନ କରୁଛୁ । (୧) ଗତ ୨୫.୧୦.୨୦୨୩ରିଖରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ସାଧାରଣ ପ୍ରଶାସନ ବିଭାଗକୁ ଭି.କେ ପାଣ୍ଡିଆନଙ୍କୁ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ନିଯୁକ୍ତି ପାଇଁ ହୋଇଥିବା ନିଷ୍ପତ୍ତି ଓ ଫାଇଲ ନୋଟିଙ୍ଗର କପି ମାଗିଥିଲେ । ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଦରଖାସ୍ତଟିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦେଇଥିଲେ । ଉକ୍ତ ବିଭାଗ କେବଳ ପାଣ୍ଡିଆନଙ୍କ ନିଯୁକ୍ତିର ବିଜ୍ଞପ୍ତିର କପି ପ୍ରଦାନ କରିଥିଲେ । ଅର୍ଥାତ୍ ଶ୍ରୀ ପାଣ୍ଡିଆନଙ୍କୁ ନିଯୁକ୍ତି ପାଇଁ ସରକାରୀସ୍ତରରେ ହୋଇଥିବା ନିଷ୍ପତ୍ତିର କୌଣସି ବର୍ଷ ତଥ୍ୟ ପ୍ରଦାନ କରିନଥିଲେ । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର କେଉଁ ପରିସ୍ଥିତିରେ ଓ କେଉଁ ପ୍ରକ୍ରିୟାରେ ଶ୍ରୀ ପାଣ୍ଡିଆନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଲେ, ଏହା ଏବେ ବି ରହସ୍ୟ ଘେରରେ । (୨) ୧୯.୦୬.୨୦୨୩ରିଖରେ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ପରିବହନ ବିଭାଗକୁ ଶ୍ରୀ ପାଣ୍ଡିଆନଙ୍କ ତାହକୁ ତୁହା ହେଲିକପ୍ଟର ଗସ୍ତର ବିବରଣୀ, ଏଥିପାଇଁ ହୋଇଥିବା ଖର୍ଚ୍ଚର ତଥ୍ୟ ମାଗିଥିଲେ । କିନ୍ତୁ ବିଭାଗ ପାଖରେ ଏ ସମ୍ପର୍କରେ କୌଣସି ତଥ୍ୟ ନଥିବାର ପି.ଆଇ.ଓ ଦର୍ଶାଇଥିଲେ । ଏହା ବିରୁଦ୍ଧରେ ପ୍ରକାଶ ଦାସ ସୂଚନା କମିଶନଙ୍କ ନିକଟରେ ୩୧.୦୭.୨୦୨୩ ରିଖରେ ଅଭିଯୋଗ କରିଛନ୍ତି ଯାହାକି କମିଶନଙ୍କ ବିଚାରଧୀନ ଅଛି । (୩) ୧୦.୦୨.୨୦୨୩ରିଖରେ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଶ୍ରୀ ପାଣ୍ଡିଆନ ନେଇଥିବା ଛୁଟି, ମେଡ଼ିକାଲ ବିଲ୍‌, ତାଙ୍କ ସମ୍ପତ୍ତି ତାଲିକା ସମ୍ପର୍କିତ ତଥ୍ୟ ମାଗିଥିଲେ । ଉକ୍ତ ଦରଖାସ୍ତଟିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଥିଲା । ପାଣ୍ଡିଆନ କୌଣସି ଛୁଟି ବା ମେଡ଼ିକାଲ ବିଲ୍ ପାଇଁ ଆବେଦନ କରିନାହାଁନ୍ତି । କେବଳ ୨୦୧୯ ମସିହାରେ ଚାରିଦିନ ଛୁଟି ନେଇଛନ୍ତି । କିନ୍ତୁ ସମ୍ପତ୍ତି ତାଲିକାର ତଥ୍ୟ ପାଇଁ ସଂସଦୀୟ ବ୍ୟାପାର ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଦରଖାସ୍ତ ପଠାଇ ଦେଇଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ କୌଣସି ତଥ୍ୟ ନଦେଇ ନୀରବ ରହିଥିଲେ । ଏ ସମ୍ପର୍କରେ ଶ୍ରୀ ପ୍ରକାଶ ସୂଚନା କମିଶନଙ୍କ ନିକଟରେ ଅପିଲ୍ କରିଛନ୍ତି । (୪) ୨୩.୦୬.୨୦୨୩ରିଖରେ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟ ସମ୍ପର୍କରେ ଜାରି ହେଉଥିବା ପ୍ରେସ୍ ରିଲିଜର ପ୍ରସ୍ତୁତି କର୍ତ୍ତାଙ୍କର ନାମ, ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କିତ ତଥ୍ୟ ମାଗିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୌଣସି ତଥ୍ୟ ଦେଇନଥିଲେ ଓ ବିଭିନ୍ନ ଆଳ ଦେଖାଇ ନୀରବ ରହିଥିଲେ । ଏ ପର୍ଯ୍ୟନ୍ତ ଏହି ତଥ୍ୟ ହସ୍ତଗତ ହୋଇପାରି ନାହିଁ । (୫) ୧୯.୦୬.୨୦୨୩ରିଖରେ ଶ୍ରୀ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ସରକାରୀସ୍ତରରେ ହୋଇଥିବା ନିଷ୍ପତ୍ତିର କପି ମାଗିଥିଲେ । କିନ୍ତୁ ଏହାର କୌଣସି ତଥ୍ୟ ପି.ଆଇ.ଓ ଏପର୍ଯ୍ୟନ୍ତ ଦେଇପାରି ନାହିଁ । (୬) ସେହିପରି ୧୧.୦୭.୨୦୨୩ରିଖରେ ମୟୁରଭଞ୍ଜ ଜିଲ୍ଲାର ସୂଚନା ଅଧିକାର କର୍ମୀ ତଥା ଆଡ଼ଭୋକେଟ ସନ୍ତୋଷ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଶ୍ରୀ ପାଣ୍ଡିଗ୍ଦଆନଙ୍କ ବିଭିନ୍ନ ଜିଲ୍ଲ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁମତି ପତ୍ର, ତାଙ୍କର ଜିଲ୍ଲାଗସ୍ତ କାର୍ଯ୍ୟକ୍ରମ, ଶ୍ରୀ ପାଣ୍ଡିଆନ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଘୋଷଣା କରୁଥିବା ଅର୍ଥରାଶି ଇତ୍ୟାଦି ତଥ୍ୟ ମାଗିଥିଲେ । ୧୧.୦୮.୨୦୨୩ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପି.ଆଇ.ଓ ଏଭଳି କୌଣସି ତଥ୍ୟ ନାହିଁ ବୋଲି ଜଣାଇ ଦରଖାସ୍ତଟିକୁ ଖାରଜ କରିଦେଲେ । (୭) ଗତ ତା ୨୫.୧୦.୨୦୨୩ରିଖରେ ଜଣେ ସଚେତନ ନାଗରିକ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ନିଯୁକ୍ତି ସର୍ତ୍ତାବଳୀ, ତାଙ୍କର ଦରମା, ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ସମ୍ପର୍କିତ ତଥ୍ୟ ମାଗିଥିଲେ । ୦୬.୧୨.୨୦୨୩ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପି.ଆଇ.ଓ ଜଣାଇଲେ ଯେ, ଉକ୍ତ ତଥ୍ୟ ପବ୍ଲିକ ଡୋମିନରେ ଅଛି । ଯଦି ପବ୍ଲିକ ଡୋମିନରେ ଉକ୍ତ ତଥ୍ୟ ଅଛି, ତେବେ ପି.ଆଇ.ଓ ଚାହିଁଲେ ଦେଇପାରିଥାନ୍ତେ । କିନ୍ତୁ ଏହିସବୁ ତଥ୍ୟ ପବ୍ଲିକ ଡୋମିନରେ ନାହିଁ । ପି.ଆଇ.ଓ ଜାଣିଶୁଣି ତଥ୍ୟ ଦେଲେ ନାହିଁ । ତେଣୁ ୫-ଟି କାର୍ଯ୍ୟକ୍ରମ ରାଜ୍ୟ ପ୍ରଶାସନରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଯେଉଁ ପ୍ରଚାର ହେଉଛି, ଏହା କେତେବଡ଼ ମିଛ ପ୍ରଚାର, ତାହା ପ୍ରମାଣିତ ହେଉଛି । ଏହି ୫-ଟି ଯୋଗୁଁ ରାଜ୍ୟ ପ୍ରଶାସନ ବରବାଦ ଓ ପ୍ରଶାସନରେ ଅରାଜକତା ସୃଷ୍ଟି ହୋଇଛି । ତେଣୁ ଓଡ଼ିଶାବାସୀଙ୍କ ନିବେଦନ, ଏହି ପାଣ୍ଡିଆନଙ୍କ ତଥାକଥିତ ୫-ଟି ପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ଏହା ବିରୁଦ୍ଧରେ ପ୍ରତିବାଦ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଳ, ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଓ ପ୍ରିୟବ୍ରତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ