‘ଦବଙ୍ଗ ୩’ରୁ ହଟିଲା ବିବାଦୀୟ ଦୃଶ୍ୟ
ମୁମ୍ବାଇ : ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ ୩’ ଶୁକ୍ରବାର ରିଲିଜ୍ ହେଉଛି। ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକଙ୍କ ଉତ୍ତମ ପ୍ରତିକ୍ରିୟାମାନ ମିଳୁଛି। ଫିଲ୍ମର ଟାଇଟଲ ଟ୍ରାକ୍ ‘ହୁଡ୍ ହୁଡ୍’ ବିବାଦରେ ଫସିଯାଇଥିଲା। ବିବାଦକୁ ଦେଖି ଫିଲ୍ମ ନିର୍ମାତା ଗୀତରୁ ସମସ୍ତ ବିବାଦୀୟ ଦୃଶ୍ୟ ହଟାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ‘ଦବଙ୍ଗ ୩’ର ଗୀତ ‘ହୁଡ୍ ହୁଡ୍’ରେ ସାଧୁ ସନ୍ଥଙ୍କ ଗୀଟାର ବଜାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଥିଲା। ଏହାପରେ ଲୋକେ ଅଭିଯୋଗ କରିଥିଲେ ଯେ ଏହି ଗୀତ ମାଧ୍ୟମରେ ସାଧୁସନ୍ଥଙ୍କୁ ଅପମାନିତ କରାଯାଇଛି। ବୁଧବାର ସନ୍ଧ୍ୟାରେ ‘ବୟକଟ୍ ଦବଙ୍ଗ ୩’ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଥିଲା। ଏହା ପରେ ସଲମାନ ଖାନଙ୍କ ଫିଲ୍ମର ପ୍ରଡକ୍ସନ୍ ଟିମ୍ ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ଏହାର ସୂଚନା ଏସ୍କେଏଫ୍ର ଅଫିସିଆଲ ଇନ୍ଷ୍ଟାଗ୍ରାମରେ ଦିଆଯାଇଛି। ଏହି ସିନେମାଟି ସଲମାନ ଖାନଙ୍କ ହୋମ୍ ପ୍ରଡକ୍ସନ୍ରେ ନିର୍ମିତ ହୋଇଥିବାବେଳେ ପ୍ରଭୁ ଦେବା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏସ୍କେଏଫ୍ର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କୁହାଯାଇଛି ଯେ ଯେଉଁ ସବୁ ଦୃଶ୍ୟ ଉପରେ ଆପତ୍ତି ଥିଲା, ତାହାକୁ ହଟାଇ ଦିଆଯାଇଛି। ସମସ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ଗୀତର ଏପରି ଦୃଶ୍ୟକୁ ଏଟିଡ୍ କରି ଦିଆଯାଇଛି ବୋଲି କୁହାଯାଇଛି।


