ତଦନ୍ତ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା ଜଣେ ବ୍ୟକ୍ତିଙ୍କ ଠାରୁ ଘରବାଡି ପଟ୍ଟାର ତଦନ୍ତ ରିପୋର୍ଟ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିବା ଜଣାଯାଇଛି । ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଅଣ୍ଢେଇପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ଜେନା ବନ୍ତ ତହସିଲ ଅଧିନ ତୋଡଗାଁ ମୌଜାରେ ଥିବା ୧୨ ଡିସିମିଲ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲରେ ଆବେଦନ କରିଥିଲେ । ଏହି ଜମିର କିସମ ପରିବର୍ତ୍ତନର ତଦନ୍ତ ରିପୋର୍ଟ ଦେବା ପାଇଁ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ପ୍ରଶାନ୍ତ କୁମାର ଜେନା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବପ୍ରସ୍ତୁତି ଅନୁଯାୟୀ ଆଜି ଦିନ ୧୨ଟା ବେଳେ ପ୍ରଶାନ୍ତ ଜେନା କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଯାଇ ରାଜସ୍ୱ ନିରୀକ୍ଷକଙ୍କୁ ଘରବାଡି ପଟ୍ଟାର ତଦନ୍ତ ରିପୋର୍ଟ ପାଇଁ ୯ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ରାଜସ୍ୱ ନିରୀକ୍ଷକଙ୍କୁ ମାଡି ବସିଥିଲା । ଭିଜିଲାନ୍ସ ଟିମ୍ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କର ସରକାରୀ କାର୍ଯ୍ୟାଳୟ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବିରିପଡାର ପୈତୃକ ଘର, ଭଦ୍ରକ ଥାନା ଅଧିନ ସାରଗଢିଆର ବାସଭବନରେ ଚଢାଉ ଜାରି ରଖିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ ନଂ-୨/୨୪ ମୂଳେ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ