“ଅହିଂସା’’ ବିଶ୍ୱକୁ ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା: ନବୀନ

ଭୁବନେଶ୍ୱର : “ଅହିଂସା’’ ବିଶ୍ୱକୁ ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା । “ଅହିଂସା’ ହିଁ ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି । ରାଷ୍ଟ୍ରପତି ଭବନରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ରଖିବା ସହିତ “ଅହିଂସା’’ ଶବ୍ଦ ସମ୍ବିଧାନ ମୁଖବନ୍ଧରେ ରଖିବା ଦାବି ଦୋହରାଇଛନ୍ତି । ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗୁରୁବାର ଏହି ବୈଠକରେ ମତ ରଖି କହିଥିଲେ, ‘‘ଅହିଂସା’’ ହିଁ ଶାନ୍ତି; ବିକାଶ ଓ ସାମ୍ୟ ତାର ମାର୍ଗ । ତେଣୁ ବିକାଶ ଲାଗି ଗାନ୍ଧୀଜୀଙ୍କ “ଅହିଂସା’’ ମାର୍ଗକୁ ହିଁ ଯୁବ ସମାଜ ଆପଣାଇବା ଉଚିତ । ଯୁବ ସମାଜ ମଧ୍ୟରେ “ଅହିଂସା’’ ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହାତ୍ମାଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମହାତ୍ମା ଗାନ୍ଧୀଙ୍କ “ଅହିଂସା’’ ତତ୍ତ୍ୱ ଅନୁସାରେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ହିଁ ସବୁଠାରୁ ବଡ଼ ହିଂସା । ଗାନ୍ଧୀଜୀଙ୍କ ମତରେ ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ । ବିନା “ଅହିଂସା’’ରେ ଦାରିଦ୍ର୍ୟ ଦୂର କରାଯାଇପାରିବ ନାହିଁ । ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ । ତେଣୁ “ଅହିଂସା’’ ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏମିତି ହେଲେ ଭାରତ ତଥା ବିଶ୍ୱର ଉତ୍ତର ପିଢ଼ିକୁ ଏହି ଉକ୍ତିର ଦୃଢ଼ ସତ୍ୟତା ସବୁଦିନ ସ୍ମରଣ କରାଇ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଜାତୀୟ କମିଟି ଗଠନ କରାଯାଇଛି । ଗତବର୍ଷ ଏହାର ପ୍ରଥମ ବୈଠକ ବସିଥିଲା, ଯେଉଁଥିରେ ନବୀନ “ଅହିଂସା’’କୁ ସମ୍ବିଧାନର ମୁଖବନ୍ଧରେ ସାମିଲ ନେଇ ମନ୍ତବ୍ୟ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ