ମା ଦଣ୍ଡ କାଳୀ ମନ୍ଦିର ପୀଠରେ ନୂତନ ବହି ପୁଜନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମନ୍ଦିରମାଳିନୀ ସହର ବେଲଗୁଣ୍ଠାରେ ବୁଧବାର ଦିନ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆଗାମୀ ଦଣ୍ଡଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ଏଠାରେ ବିରାଜିତ ପୁରାତନ ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ ଓ ଖଦାଳ ସାହି-ବାଙ୍କବଜାର ରୁଦ୍ର କାଳୀ ନାଟ୍ୟ ପରିଷଦ ତରଫରୁ ନୂତନ ବହି ପୂଜା ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆନନ୍ଦ କବିଚନ୍ଦ୍ର ଦଣ୍ଡାକାଳୀ ନାଟ୍ୟ ପରିଷଦ ସଭାପତି ତଥା କାଉନସିଲର ଏସ୍.ଭାସ୍କର ପାତ୍ରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ନୃସିଂହ ତୋରଣ ନିକଟରୁ ବାହାରି ବେଲଗୁଣ୍ଠା ନଗର ପରିକ୍ରମା କରି ଦଣ୍ଡକାଳୀ ମନ୍ଦିରେ ପହଞ୍ଚିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ନୂତନ ନାଟ୍ୟ ପୁସ୍ତକ ପୂଜା ହୋଇ ଏହି ବର୍ଷ ଦଣ୍ଡ ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେବା ପାଇଁ ମାଁ ଙ୍କ ଆଶୀର୍ବାଦ ନେଇଥିଲେ ।ସେହିପରି ଶ୍ରୀ ଶ୍ରୀ ମାଁ ରୁଦ୍ର କାଳୀ ନାଟ୍ୟ ପରିଷଦର ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ସୁବୁଦ୍ଧିଙ୍କ ଆବାହକତ୍ୱରେ ବହୁ ଭକ୍ତ ଶାସନ ସାହି ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଶୋଭାଯାତ୍ରାରେ ଯାଇ ଖଦାଳ ସାହି-ବାଙ୍କବଜାର କାଳୀ ମନ୍ଦିରେ ପହଞ୍ଚି ନାଟ୍ୟ ପୁସ୍ତକ ପୂଜା କରାଯାଇଥିଲା । ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦର ମ୍ୟାନେଜର ଶଙ୍କର ବେହେରା, ସମ୍ପାଦକ ସୁଶାନ୍ତ ବେହରା, ବ୍ରଜେନ୍ଦ୍ର ପତି,ସଞ୍ଜୟ ବେହେରା, କାଶୀନାଥ ସାହୁ, ଶୁଭାଶିଷ ସାହୁଙ୍କ ସମେତ ଅତିଥି ଭାବେ ନଗରପାଳ ଫିରୋଜ କୁମାର ସେଠୀ, ସମସ୍ତ କାଉନସିଲ ଓ ବେଲଗୁଣ୍ଠା ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ସେହିପରି ଶ୍ରୀ ଶ୍ରୀ ମାଁ ରୁଦ୍ର କାଳୀ ନାଟ୍ୟ ପରିଷଦର ଦଣ୍ଡ ପରିଚାଳନା କମିଟି ସଭାପତି ଲିଙ୍ଗରାଜ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ରଙ୍କ ସହିତ ଅନ୍ୟ ପରିଚାଳନା କମିଟି ସଦସ୍ୟ,ଉପଦେଷ୍ଟା ଭି.ଦେବୀ ପ୍ରସାଦ ପାତ୍ର,ସନ୍ତୋଷ ମହାନ୍ତିଙ୍କ ସମେତ ଅତିଥି ଭାବେ ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିଥିଲେ । ପ୍ରକାଶ ଥାଉ କି,ପ୍ରତିବର୍ଷ ଦଣ୍ଡଯାତ୍ରା ପ୍ରସ୍ତୁତିର ପ୍ରଥମ ସୋପାନ ଭାବେ ପବିତ୍ର ସରସ୍ୱତୀ ପୂଜାରେ ଏ ବର୍ଷ ମଞ୍ଚସ୍ଥ ହେବାକୁଥିବା ନାଟ୍ୟ ପୁସ୍ତକ ପୂଜା କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ