ରାୟଗଡ ବ୍ଲକ୍ସ୍ତରୀୟ ମନରେଗା ସାମାଜିକ ସମୀକ୍ଷା ଜନଶୁଣାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷକ ବାବୁଲା ବିଷୋୟୀ, ବିଡିଓ ଲୋକନାଥ ଶବର, ଅଧ୍ଯକ୍ଷା ମାଳତୀ ପ୍ରଧାନ, ଉପାଧ୍ଯକ୍ଷ ନିହିମିୟା ରଇତ, ଏଇଇ ପ୍ରଦ୍ୟୁମ୍ନ କୁମାର ଦାସ, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ଉପସ୍ଥିତ ଥିଲେ | ପ୍ରଥମେ ଏପ୍ରିଲ ପହିଲାଠାରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବ୍ଲକର ୧୯ ପଞ୍ଚାୟତରେ ମହାତ୍ମାଗାନ୍ଧୀ ମନରେଗା ଯୋଜନାରେ ହୋଇଥିବା କାମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରତ୍ୟେକ ପଞ୍ଚାୟତର ସମୀକ୍ଷା ବିବରଣୀ ଏପିଇଓ ଦିଲୀପ କୁମାର ଦାସ ପଠନ କରିଥିଲେ | ଏହା ସହଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ ଓ ଆଦିବାସୀ ଉନ୍ନୟନ ସଂସ୍କାର ଅଧିକାରୀ ଉପସ୍ଥିତ ରହି ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା କାମର ସମୀକ୍ଷା କରିଥିଲେ। ଏଥିରେ ମନରେଗା ଯୋଜନାର ବିଭିନ୍ନ ପଞ୍ଚାୟତର ଗାଁରେ କିଭଳି କାର୍ଯ୍ୟକାରୀ ହେଉଛି, ଏହାର ସଫଳତା, କଣ କଣ କରାଯାଇ ପାରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବ୍ଲକରେ ଦୀର୍ଘ ମାସ ହେବ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ଏବଂ ବିଭିନ୍ନ ପ୍ରକଳ୍ପର ସାମଗ୍ରୀ ଟଙ୍କା ମିଳି ନ ଥିବାରୁ ତାହା ତୁରନ୍ତ ପ୍ରଦାନ କରିବାକୁ ପିଆରଆଇ ସଭ୍ୟ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପିଆରଆଇ ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ୍, ଭିଆରପି, ଗାଁ ସାଥୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ଭାରପ୍ରାପ୍ତ ଜିପିଇଓ ନୃସିଂହ ଚରଣ ମିଶ୍ର ଏବଂ ଏପିଇଓ ଦିଲୀପ କୁମାର ଦାସ ପରିଚାଳନା କରିଥିଲେ |