ହରିଣ ମାଂସ ଜବତ, ୩ ଚାଲାଣକାରୀ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାର ଏବଂ ପାରଳାଖେମୁଣ୍ଡି ବନଖଣ୍ଡୀୟ ଅଧିକାରୀ ଏସ୍. ଆନନ୍ଦଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସୀମାନ୍ତରେ ଥିବା ନାକା ପଏଣ୍ଟ ଓ ବନାଞ୍ଚଳରେ ଉଭୟ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଯାଞ୍ଚ କରାଯାଉଛି । ମଙ୍ଗଳବାର ମଧ୍ୟରାତ୍ର ପ୍ରାୟ ଗୋଟାଏ ସମୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଓଡ଼ିଶା ସୀମାନ୍ତ ଲାବନ୍ୟଗଡ଼ ନାକା ପଏଣ୍ଟରେ ଗାରବନ୍ଧା ଥାନା ଅଧିକାରୀ ରୀନାରାଣୀ ସାହୁଙ୍କ ନେତତ୍ବରେ ଏସ୍ଆଇ ନାରାୟଣ ଦାସ ଏବଂ ବହୁ ପୁଲିସ କର୍ମଚାରୀ ଯାଞ୍ଚ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତିଯେ, ଆନ୍ଧ୍ର ପଟରୁ ଆସୁଥିବା ଦୁଇଟି ବାଇକକୁ ଅଟକାଇ ଯାଞ୍ଚ କରିଥିଲେ. ଯାଞ୍ଚ ସମୟରେ ତିନି ଚାଲାଣକାରୀ ହରିଣ ମାଂସ ଏବଂ ଏକ ଜୀବିତ ହରିଣ ଛୁଆକୁ ଧରିଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ରମ୍ପା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ମହେନ୍ଦ୍ର ବନାଅଞ୍ଚଳର ଅଧିକାରୀଙ୍କୁ ସୂଚନା ଦେବା ସହ ଉକ୍ତ ଘଟଣାକୁ ହସ୍ତାନ୍ତର କରିଥିଲେ । ତୁରନ୍ତ ଏସିଏଫ୍ ଅରୁଣ କୁମାର ସାହୁଙ୍କ ସମେତ ମହେନ୍ଦ୍ର ରେଞ୍ଜର ଅଧୂକାରୀ ଅମିତ ଶୁଭ୍ରଜିତ୍, ଗାରବନ୍ଧ ପରେଷ୍ଟର ଦୁର୍ଯ୍ୟଧନ ଜେନା, ନାରାୟଣପୁର ଫରେଷ୍ଟର ଏମ୍. କାମେଶୁ ପହଞ୍ଚି ହରିଣ ମାଂସ ସହ ଗୋଟିଏ ଜୀବିତ ହରିଣଛୁଆ, ଚାଲାଣରେ ବ୍ୟବହାର ହୋଇଥିବା ଦୁଇ ବାଇକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିଲେ I ଗିରଫ ୩ ଜଣ ହେଲେ ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ଗାଇବା ପଞ୍ଚାୟତ ଅର୍ତନା ଗ୍ରାମର ତିସାନ ଭୂୟାଁ (୪୯), ମେସିୟୋ ଭୂୟାଁ (୩୨) ଓ ଅବିୟୋ ଭୂୟାଁ (୪୪) । ଗିରଫ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଉଦ୍ଧାର ହରିଣ ଛୁଆକୁ ଗୁରାଣ୍ଡି ସ୍ଥିତ ପଶୁ ଚିକିତ୍ସାଳୟରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ପଶୁ ଚିକିତ୍ସକ ଫିଟନେସ୍ ପତ୍ର ଦେବା ପରେ ବନ ବିଭାଗ ପକ୍ଷରୁ ଉକ୍ତ ଛୁଆ ହରିଣକୁ ପୁଣି ଜଙ୍ଗଲରେ ଛଡାଯିବ। ସେହିପରି ଜବତ ହରିଣ ମାଂସକୁ ବଣ୍ୟପ୍ରାଣୀ ଆଇନ ବିଧ୍ ପ୍ରକାରେ ପୋତା ଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ | ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ୍ କହିଛନ୍ତି।


