ଚଟିଆଙ୍କ ସୁରକ୍ଷା ପାଇଁ ଆଲୋଚନା ଓ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଟିଆମାନଙ୍କ ସୁରକ୍ଷା ଓ ଚଟିଆଙ୍କ ବଂଶ ବୃଦ୍ଧି ପାଇଁ ବିସ୍ତୃତ ଆଲୋଚନା ଓ ସଚେତନତା କରାଯାଇଛି. ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଭୂତି ଭୂଷଣ ଭୋଇଙ୍କ ସଭାପତିତ୍ବରେ ଇକୋକ୍ଲବ ଓ ଜୁନିଅର ରେଡକ୍ରସ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଘରଚଟିଆ ସହ ପ୍ରକୃତିର ସମ୍ପର୍କ ବିଷୟରେ ବିଶଦ ଭାବେ ଆଲୋକପାତ କରାଯାଇଥିଲା। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ବାସହରା ହୋଇଯାଇଛି। ସିମେଣ୍ଟ କଂକ୍ରିଟରେ ନିର୍ମିତ କୋଠାବାଡ଼ି ଥିବା ଗାଁ ଆଉ ସହର ପରିବେଶ ଭିତରେ ଏମାନେ ନିଜକୁ ଖାପଖୁଆଇ ଚଳିବା କଷ୍ଟକର ହୋଇପଡିଛି ଯାହାଫଳରେ ସେମାନଙ୍କର ବଂଶ ଲୋପ ପାଇବାକୁ ବସିଲାଣି। ଏହି ଅବସରରେ ଘରଚଟିଆ ମାନଙ୍କର ସୁରକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ କୃତ୍ରିମ ବସା, ଖାଦ୍ୟସ୍ଥଳୀ, ପାଣିପାତ୍ର ବଣ୍ଟନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ପାଇଁ ଆହ୍ଵାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ମମତା ପଣ୍ଡା, ସାହିଦା ବେଗମ, ମଧୁଛନ୍ଦା ଜେନା, ସୁକାନ୍ତ ମହାପାତ୍ର, ଯୋସ୍ନାବାଳା ସେନାପତି, ଲକ୍ଷ୍ମଣ ସାହୁ, ପ୍ରମୀତା ଦାସ, ମନୋଜ କୁମାର ସ୍ବାଇଁ, ନମିତା ପ୍ରିୟଦର୍ଶିନୀ ଜେନା, କବିତା ବେହେରା, ଗଗନ ବିହାରୀ ସାସମଲ, ବିନାୟକ ସାହାଣୀ ଆଦି ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ରେଡକ୍ରସ୍ ଦାୟୀତ୍ୱରେ ଥିବା କାଉନସିଲର ନିରଞ୍ଜନ ବିଶ୍ୱାଳ ସମ୍ପୂର୍ଣ୍ଣ ଭାବେ ସଂଯୋଜନା ଓ ପରିଚାଳନା କରିଥିଲେ।