ସରକାର ନୀତି ନିୟମ ଉଲ୍ଲଘଂନର ନଗ୍ନ ନମୁନା ଗଜପତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମାତ୍ର ୫ କିଲୋ ରାଶନ ଚାଉଳ ପାଇଁ ଜଣେ ଭିନ୍ନକ୍ଷମ ବୃଦ୍ଧ ୫ କିମି ଘୁଷୁରି ହୋଇ ଆସି ଚାଉଳ ସଂଗ୍ରହ କରି ଫେରୁଥିବା ଲକ୍ଷ୍ୟ କରାଯାଇଛି. ସରକାରୀ ନିୟମ ଅନୁଯାୟୀ ଭିନ୍ନକ୍ଷମ ବୃଦ୍ଧ- ବୃଦ୍ଧାଙ୍କ ନିକଟରେ ଏହି ରାଶନ ଚାଉଳ ଯୋଗାଇବା ନିୟମ ଥିଲେ ସୁଦ୍ଧା ଗଜପତି ଜିଲ୍ଲାରେ ଏହାକୁ ପାଳନ କରାଯାଉନଥିବା ଦେଖାଦେଇଛି. ସରକାରଙ୍କ ଏହି ବିଫଳତାର ନଗ୍ନ ଉଦାହରଣ ଦେଖୁବାକୁ ମିଳିଛି ଗୁମ୍ମା ବ୍ଲକରେ. ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଗୁଞ୍ଜୁ ଶବର ନାମକ ଜଣେ ୮୫ ବର୍ଷୀୟ ବୃଦ୍ଧ ରାଶନ ସାମଗ୍ରୀ ପାଇଁ ୬ ଘଣ୍ଟା ଧରି ଘୁଷୁରି ଘୁଷୁରି ୫ କିମି ଅତିକ୍ରମ କରି ଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି। ଏପରି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ବ୍ଲକ ପ୍ରଶାସନ ଦେଖୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦ୍ୱାରା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ ହେଉଛି. ଗଜପତି ଜିଲା ଗୁମା ବ୍ଲକ କୁଟ୍ଟାସିଂ ପଞ୍ଚାୟତର ମୁରିସିଂ ଗ୍ରାମର ଗୁଞ୍ଜୁ ଶବର (୮୫) ପ୍ରତେକ ମାସ ରାଶନ ଚାଉଳ ପାଇଁ ଗାଁରୁ ୫ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଚାଉଳ ସଂଗ୍ରହ କରି ପୁଣି ଘୁଷୁରି ଘୁଷୁରି ବହୁ କଷ୍ଟରେ ଫେରନ୍ତି.ସେ ଅତ୍ୟନ୍ତ ଗରିବ ଅଟନ୍ତି. ଭିନ୍ନ କ୍ଷମ ଯୋଗୁଁ କୌଣସି କାମ କରି ଅର୍ଥ ଉପାର୍ଜନ କରିବା ସମ୍ଭବ ନୁହେଁ. ପରିବାର କହିଲେ ତାଙ୍କରି କେହି ମଧ୍ଯ ନାହାନ୍ତି. ବର୍ତ୍ତମାନ ଗ୍ରୀଷ୍ମ ତାତିକୁ ମଧ୍ୟ ଖାତିର ନ କରି ଚାଉଳ ପାଇଁ ଆସିଥିବା ପ୍ରକାଶ କରି ଗୁଞ୍ଜୁ ଶବର ସୂଚନା ଦେଇଛନ୍ତି ତାଙ୍କ ଘରୁ ସକାଳ ୬ଟାରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ୧୨ଟାରେ ପହଞ୍ଚିଲେ । ବୟସ ଅଧିକ ହେବା ଯୋଗୁଁ ଆଖିକୁ ମଧ୍ୟ ଠିକ ଦେଖାଯାଉନାହିଁ। କାନକୁ ମଧ୍ୟ ଠିକରେ ଶୁଣାଯାଉନାହିଁ I କେବଳ ନିଜ ଭତ୍ତା ଏବଂ ରାଶନ ଚାଉଳ ଉପରେ ତାଙ୍କର ଭରସା। ସେଥିପାଇଁ ଯେତେ କଷ୍ଟ ହେଉପଛେ ଚାଉଳ ନେବା ପାଇଁ ଆସିବାକୁ ପଡୁଛି. ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ଦୃଷ୍ଟି ଦେବା ସହ ଏଭଳି ଭିନ୍ନକ୍ଷମ ଓ ବୃଦ୍ଧ- ବୃଦ୍ଧା ବ୍ୟକ୍ତିଙ୍କ ଘର ନିକଟରେ ରାଶନ ସାମଗ୍ରୀ ଯୋଗାଇବା ପାଇଁ ଦାବି କରିଛନ୍ତି.