ବିଜେଡି ପାଇଁ ବିରୋଧୀ ସାଜିବେକି କଣ୍ଟା, ଏକଜୁଟ ହେଉଛନ୍ତି ଅସନ୍ତୁଷ୍ଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ ଭାଗିରଥ ସେଠୀଙ୍କ ଟିକଟକୁ କାଟି ନବାଗତ ଅଭିମନ୍ୟୁ ସେଠୀଙ୍କୁ ଟିକେଟ ମିଳିବାପରେ ଟିକେଟ ରୁ ବଞ୍ଚିତ ଆଶାୟୀ ମାନେ ଏବେ ବିଜେଡି ର ଆଭିମୁଖ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ମେଳି କଲେଣି। କିଏ ସ୍ବାଧୀନ ଭାବେ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ରଣ ହୁଙ୍କାର ଦେବା ଆରମ୍ଭ କରିଥିବାବେଳେ କିଏ ଚୟନ ହୋଇଥିବା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ରଣନୀତି ଆପ ଆପଣେଇବାରେ ଲାଗିପଡିଛନ୍ତି। ଏପରିକି କେହି କେହି ବିଜେଡି ଛାଡି ବିଜେପି ଓ କଂଗ୍ରେସରେ ଯୋଗଦେବାକୁ ପ୍ରସ୍ତୁତ ଆରମ୍ଭ କରିଥିବା ଚର୍ଚ୍ଚାକୁ ଆସିଛି।ଏଠାରେ କ୍ରମାଗତ୪ର୍ଥ ଥର ପାଇଁ ବିଜୟ ହାସଲ କରିବାକୁ ଲକ୍ଷ ରଖିଥିବା ବିଜେଡି ପାଇଁ ଚଳିତ ନିର୍ବାଚନରେ ଟିକେଟ ଆଶାୟୀ ମାନେ କଣ୍ଟା ସାଜିବେକି ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଟିକେଟ ମିଳିବାର ପରଦିନ ଅନ୍ୟତମ ଟିକେଟ ଦାବିଦାର ଥିବା ବିଶ୍ୱନାଥ ପ୍ରତାପ ଜେନା ସୁଡୁସୁଡ଼ିଆ ଠାରେ ନିଜ ସମର୍ଥକ ମାନଙ୍କୁ ନେଇ ବିରୋଧୀ ସମାବେଶ କରି ଟିକେଟ ପରିବର୍ତ୍ତନ କରିବାକୁ ଦାବି କରିବା ସହ ଯଦି ବିଜେଡି ସୁପ୍ରିମୋ ଏହାର ପୁନର୍ବିଚାର ନକରନ୍ତି ତେବେ ସ୍ୱାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଥିଲେ। ସେହିପରି ଗତକାଲି ଅକରୁଆ ପଞ୍ଚାୟତ ଚିନାରା ପୋଖରୀ ନିକଟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ ବରାଳଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଆଲୋଚନା ହୋଇଥିଲା। ଏଥିରେ ପ୍ରମୁଖ ଟିକେଟ ଦାବିଦାର ଥିବା ବିଶ୍ୱନାଥ ପ୍ରତାପ ଜେନା, ଶାନ୍ତନୁ ସେଠୀ, ବଳରାମ ମଲ୍ଲିକଙ୍କ ସମେତ ଅନେକ ବରିଷ୍ଠ ବିଜେଡି କର୍ମକର୍ତା ସାମିଲ ହୋଇ ବର୍ତ୍ତମାନର ବିଜେଡି ପ୍ରାର୍ଥୀଙ୍କୁ ଖୋଲା ଖୋଲି ବିରୋଧ କରିଛନ୍ତି। ଏପରିକି ଗତ କିଛିଦିନ ତଳେ ବିଧାୟକ ଙ୍କୁ ବିରୋଧ କରି ହୋଇଥିବା ସମାବେଶରେ ଯୋଗଦେଇଥିବା ନେତାମାନେ ଏହି ସମାବେଶରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ସେମାନେ ତୃଣମୂଳ ସ୍ତରର କର୍ମୀ ଓ ଲୋକଙ୍କ ପାଖକୁ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ବିଧାୟକ ଭାଗିରଥି ସେଠୀ ମୁଁହ ଖୋଲୁ ନଥିବା ବେଳେ ତାଙ୍କ ନୀରବତା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଅସନ୍ତୁଷ୍ଟ କର୍ମୀ ଓ ନେତାମାନଙ୍କୁ ଆପଣେଇବାକୁ ବିଜେଡି ନେତାମାନେ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ କହିଛନ୍ତି ଯେ ଟିକେଟ ପ୍ରଦାନ ପରେ ସବୁଦଳରେ ରାଗରୁଷା ଥାଏ । କିନ୍ତୁ ସମସ୍ତଙ୍କୁ ସାଥିରେ ନେଇ ନିର୍ବାଚନ ଲଢ଼ିବାକୁ ପ୍ରୟାସ ଚାଲିଛି। ସମସ୍ତେ ମୋ ସହିତ ରହିବେ ବୋଲି ଆଶା ଓ ବିଶ୍ୱାସ ଅଛି ବୋଲି କହିଛନ୍ତି।


