ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସକାଳ ୧୦ ଘଟିକା ସମୟରେ ବାଲିଆ ସ୍ଥିତ ରେମୁଣା ବିଜେପି କାର୍ଯ୍ୟାଳୟରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳପୁର ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବିଧାନସଭା ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ,ମଧ୍ୟପ୍ରଦେଶ ବିଧାୟକ ଶୈଳେନ୍ଦ୍ର ଜେନ,ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଶିଷ ଘୋଷ,ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ,ନିର୍ବାଚନ ମଣ୍ଡଳୀ ବିସ୍ତାରକ ଦିପ୍ତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ମଣ୍ଡଳ ସଭାପତି,ଶକ୍ତିକେନ୍ଦ୍ର ପ୍ରମୁଖ,ସହପ୍ରମୁଖ,ପ୍ରଭାରୀ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଜୁନ ୧ ରେ ହେବାକୁଥିବା ନିର୍ବାଚନରେ କେମିତି ଘରେ ଘରେ ମୋଦୀ ଜୀଙ୍କ ବାର୍ତ୍ତା ପହଞ୍ଚିବ ଏବଂ ଉଭୟ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀ ବିପୁଳ ସଂଖ୍ୟାରେ ଆଶୀର୍ବାଦ ପାଇ ଜୟଯୁକ୍ତ ହେବେ ସେ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ଏ ଅପାରଗ ସରକାରର ବିଷୟରେ କର୍ମକର୍ତ୍ତାଙ୍କୁ କହିଥିଲେ। ଆଜି ଯାଏଁ ଏ ସରକାର ଓଡ଼ିଶାକୁ କେବଳ ଦୁର୍ନୀତି,ଭ୍ରଷ୍ଟାଚାର,ବେକାରୀ,ନାରୀଙ୍କୁ ଅସମ୍ମାନ,କେନ୍ଦ୍ର ଯୋଜନାର ବାଟମାରଣା,ଦଳୀୟ ଭିତ୍ତିରେ ହିତାଧିକାରୀଙ୍କୁ ଯୋଜନା ଭୁକ୍ତ କରିବା ,ଅଣ ଓଡିଆଙ୍କ ହାତରେ ଓଡ଼ିଶାର ଶାସନ ଭାର ,ସରକାରୀ ବାବୁଙ୍କ ମନଇଚ୍ଛା ଶାସନ,ଖଣି ଲୋଟ ପରି ଅନେକ ଘୋଟାଲା ମିଳିଛି। ଓଡ଼ିଶାର ଲୋକେ ସବୁ ବୁଝିସରିଲେନି। ଏଥର ପରିବର୍ତ୍ତନ ଦରକାର। ଓଡ଼ିଶାରେ ବିଜେପି ସରକାର ହେଲେ ଓଡ଼ିଆ ପୁଅ ମାନେ ଦାଦନ ଖଟିବା ପାଇଁ ନଯାଇ ଓଡ଼ିଶାରେ କାମ କରିବେ, ଓଡ଼ିଶାରେ ନୂତନ ଶିଳ୍ପ ମାନ ପ୍ରତିଷ୍ଠା କରାଯିବ,ମହିଳା ମାନଙ୍କୁ ଉଚିତ ସମ୍ମାନ ମିଳିବ,ଓଡ଼ିଶା ବିକାଶ ପଥରେ ଆଗେଇବ। ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।


