ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାଲିକଙ୍କୁ ଦାଦାବଟି ମାଗୁଥିବା ଅଭିଯୋଗ, ଥାନାରେ ମାମଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସହର ଉପକଣ୍ଠସ୍ଥିତ ଗୁଲନଗରରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାଲିକଙ୍କୁ ୫୦ହଜାର ଟଙ୍କା ବଟି ମାଗୁଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସନ୍ଥପୁରା ଗ୍ରାମର ବସନ୍ତ କୁମାର ଧଳଙ୍କ ଝିଅ ହିରଣମୟୀ ଧଳ ସଦର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କର ଗୁଲନଗରରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ରହିଛି । ସେହି ଟ୍ରେନିଂ ସେଣ୍ଟରରେ ଡେରାବିଶ ଥାନା ଅନ୍ତର୍ଗତ ଅମ୍ବୁରା ଗ୍ରାମର ମଣି ଧଳଙ୍କ ପୁଅ ପ୍ରସନ୍ନ ଧଳ ପହଞ୍ଚି ହିରଣମୟୀ ଧଳଙ୍କୁ ବିଭିନ୍ନ ଧମକଚମକ ଦେବା ସହିତ ତାଙ୍କ ଠାରୁ ୧୦ହଜାର ଟଙ୍କା ଦାଦାବଟି ନେଇଥିଲେ । ଏଥିସହିତ ପ୍ରସନ୍ନ ପୁନର୍ବାର ସେହି ସେଣ୍ଟରରେ ପହଞ୍ଚି ହିରଣମୟୀଙ୍କୁ ଧମକ ଦେଇ ୫୦ହଜାର ଟଙ୍କା ଦାଦାବଟି ମାଗିଥିଲେ । କିନ୍ତୁ ହିରଣମୟୀ ଟଙ୍କା ଦେବାକୁ ମନାକରିଦେବାରୁ ପ୍ରସନ୍ନ ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ବନ୍ଦ କରିଦେବାକୁ ଧମକ ଦେବା ସହ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଇଭିଂ ଟ୍ରେନିଂ ଦେବାପାଇଁ ଭଡାରେ ଲାଗିଥିବା ହିରଣମୟୀଙ୍କ ଏକ ଗାଡିକୁ ସେଠାରୁ ବାହାର କରିଦେବାକୁ ଧମକ ଦେଇଥିବା ହିରଣମୟୀ ସଦର ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ କେଶ ନମ୍ବର- ୩୬୪ ତା ୨୪.୦୬.୨୦୨୪ରିଖରେ ଆଇ.ପି.ସି.ର ୨୯୪, ୩୪୧,୩୮୪, ୩୮୫ ଓ ୫୦୬ ଦଫାରେ ରୁଜୁ କରାଯାଇଛି ।