ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ଦିବସକୁ ଆନନ୍ଦରେ ପାଳନ କରିବା ନିମନ୍ତେ ଦିବସବ୍ୟାପୀ କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁୟାୟୀ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟୁଷରେ ରାମଧୂନ୍ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସକାଳ ଘ୮.୪୫ମି. ସମୟରେ ମହାପୁରୁଷମାନଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି. ସମୟରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ ଏବଂ ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଭାରତୀୟ ତଥା ଓଡିଶା ପ୍ରଶାସନିକ ସେବା ଭଳି ଜାତୀୟ ସ୍ତରର ପରୀକ୍ଷାରେ ଉତ୍ତୀର୍ଣ ହୋଇ ଥିବା ଛାତ୍ରଛାତ୍ରୀ, କ୍ରୀଡା କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ଥିବା କ୍ରୀଡ଼ାବିତ ଇତ୍ୟାଦିଙ୍କ ପାଇଁ ସମ୍ବର୍ଦ୍ଧନା ଓ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧ ପ୍ରବନ୍ଧ, କୁଇଜ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଯାଇଛି । ଏତଦ୍ ବ୍ୟତୀତ ସ୍ୱାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆଜିର ବୈଠକରେ ଜିଲ୍ଲାପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସ୍ୟା ଅଧିକାରୀ ଡ଼ ଦୁଲାଳସେନ ଜଗତ ଦେଓଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ କର୍ମକର୍ତ୍ତା, ସ୍ବେଛାସେବୀ ଅନୁଷ୍ଠାନର ଅଧିକାରୀବୃନ୍ଦ ଏବଂ ସମାଜସେବୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଐଶ୍ଵର୍ଯ୍ୟା ସାମନ୍ତ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ