ବାଲେଶ୍ୱରରେ ଗଢ଼ାହେଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ବାଲେଶ୍ୱରର ଅବଦାନକୁ ଏ ଜାତି କେବେବି ଭୁଲି ପାରିବନାହିଁ । ସେହି ସ୍ଥାନରେ ସାମ୍ପ୍ରଦାୟିକତା ବିଚାରର ପ୍ରସାର କେବଳ ବାଲେଶ୍ୱର ନୁହେଁ ଆମ ରାଜ୍ୟକୁ ପଛକୁ ଟାଣିନେବ । ବିଗତ ଦିନରେ ଏଠାକାର ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ବିଦ୍ୱେଷ ଏବେ ଆଉ ନାହିଁ । ଲୋକେ ପୁଣି ଯୁଗଯୁଗର ଭାଇଚାରାକୁ ପୁନର୍ଜୀବୀତ କରିବା ପାଇଁ ଚେଷ୍ଟା କରୁଛନ୍ତି । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ବିଚାରରେ କାର୍ଯ୍ୟ କରୁଥିବା ଆମ ସଂଗଠନ ବିଦ୍ୱେଷ ସମୟରେ ଏଠାକାର ଲୋକଙ୍କ ଭିତରେ ଭାଇଚାରାର ବୀଜ ବପନ କରିବା ନିମନ୍ତେ ପଥପ୍ରାନ୍ତ ନାଟକ, ସର୍ବ ଧର୍ମ ପ୍ରାର୍ଥନା ଆଦି ମାଧ୍ୟମରେ ପ୍ରୟାସ ଚଳାଇଥିଲା । ଆଜି ଆଉ ପାଦେ ଆଗକୁ ବଢ଼ି ସ୍ଥାୟୀଭାବେ ଭାଇଚାରାକୁ ଉଜ୍ଜିବୀତ କରି ରଖିବା ପାଇଁ ଏଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଶାଖା ସ୍ଥାପନ ହେଉଛି । ଏହା ଆଗାମୀ ଦିନରେ ଏକ ନୂତନ ଇତିହାସ ନିର୍ମାଣ କରିବ ବୋଲି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ଆଜି ଷ୍ଟେସନ କ୍ଳବଠାରେ କହିଥିଲେ । ବିଶିଷ୍ଟ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଅଖିଳ କୁମାର ପାଢ଼ୀ କହିଲେ ଯେ, ପ୍ରତିଷ୍ଠାନ ମାଧ୍ୟମରେ ଆମେ ସାତ ବର୍ଷ ହେଲା ଭଦ୍ରକରେ ଶାନ୍ତି ସଦଭାବନା ବିଚାରର ପତାକା ତୋଳି ଧରିଛୁ । ଆଜିଠାରୁ ଏହି ଶାନ୍ତିର ପତାକା ବାଲେଶ୍ୱରରେ ଉଡ଼ିବ । ଡ. ଝରଣା ପଟ୍ଟନାୟକ କହିଲେ ଯେ, ଭାରତର ସମ୍ବିଧାନ ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିୟାନ ଆଦି ସବୁ ଧର୍ମର ମଣିଷଙ୍କୁ ଏଠାରେ ରହିବାର ଅଧିକାର ଦେଇଛି । ଆମେ କେହି କାହାକୁ ଏଠାରୁ ହଟାଇ ପାରିବା ନାହିଁ । ଏହି ସତ୍ୟକୁ ବୁଝି ଆମକୁ ପରସ୍ପର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିଗରେ କାର୍ଯ୍ୟ କରିବାକୁ ହେବ । ବାଲେଶ୍ୱରରେ ଶାନ୍ତି ଅଭିଯାନର ନେତୃତ୍ୱ ନେଇଥିବା ଡାକ୍ତର ବିଶ୍ୱଜିତ କହିଲେ ଯେ, ଡ. ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ ନେହେରୁ, ସର୍ବପଲ୍ଲୀ ରାଧାକୃଷ୍ଣାନ, ଜୟପ୍ରକାଶ ନାରାୟଣ, ଡ. ଜାକୀର ହୁସେନଙ୍କ ନେତୃତ୍ୱରେ ୧୯୫୮ ମସିହାରେ ଗଢ଼ା ହୋଇଥିବା ଏହି ଐତିହାସିକ ସଂଗଠନ ସହ ସାମିଲ ହୋଇ ଆମକୁ ଗାନ୍ଧୀ ପ୍ରଦର୍ଶିତ ସଦ୍‌ଭାବନା ପାଇଁ ଅଣ୍ଟା ଭିଡ଼ିବାକୁ ହେବ । ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ସବିଶେଷ ଚର୍ଚ୍ଚା ଓ ଆଲୋଚନା ହେବା ପରେ ଆଜି ପ୍ରଥମ ଦିନରେ ପଚାଶ ଜଣ ଏହାର ସଦସ୍ୟତା ଗ୍ରହଣ କଲେ । ପ୍ରତିଷ୍ଠାନର ରାଷ୍ଟ୍ରୀୟ ସମିତିର ଅନୁମୋଦନ ପରେ ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଗୋପବନ୍ଧୁ ତତ୍ତ୍ୱ ପ୍ରଚାର କେନ୍ଦ୍ର କାର୍ଯ୍ୟ କରିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଏହାର ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯିବ ତଥା ଏକ ସଦଭାବନା ଯୁବ ଶିବିର ଆୟୋଜନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସେକ୍ ନାସୀର ବକ୍ସ, କବୀର କୁମାର ଜେନା, ସୂର୍ଯ୍ୟକାନ୍ତ କର, ହରିହର ସେନ, ଅଭୟ ଦାସ, ପ୍ରଣୀତା ମିଶ୍ର, ବିଜୟ ଉପାଧ୍ୟାୟ, ପ୍ରଦୀପ୍ତ ପଣ୍ଡା, ତୁଷାର ମହାପାତ୍ର, ଭଗବାନ ମହନି, ପ୍ରବୀର କମିଲା, ଅସଗର ଅଲ୍ଲୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଶରତ ମହାପାତ୍ର, ମନୋଜ ନାୟକ, ପର୍ଶୁରାମ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ବିଧାନ ରାୟ, ଦାମୋଦର ନାୟକ, ଶ୍ରଦ୍ଧାଞ୍ଜଳି ରାୟ, ନିରଞ୍ଜନ ପରିଡ଼ା, ସୀତାରାମ ପ୍ରଧାନ, ଗୋପୀକୃଷ୍ଣ ମହାନ୍ତି, ରଘୁନାଥ ଲେଙ୍କା, ବିକାଶ ଦାସ, ପୁରୁଷୋତ୍ତମ କମିଲା, ରୋଜି ପଟ୍ଟନାୟକ, ଇନ୍ତେକାମ ବକ୍ସ ପ୍ରମୁଖ ଏହି ସଭାରେ ନିଜନିଜର ମତ ବ୍ୟକ୍ତ କରିଥିଲେ । ଆଡ୍‌ଭୋକେଟ ମହମ୍ମଦ ଇସଲାମ ସଭା ସଂଚାଳନ କରିଥିବା ବେଳେ, ପ୍ରତିମା ପଣ୍ଡା ଅତିଥି ପରିଚୟ ଓ ଜିତେନ୍ଦ୍ର ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ସ୍ୱାଧୀନତା ସଂଗ୍ରାମୀ ଦାୟାଦ ଯଶୋଧାରା ଦାସ, ଚିନ୍ମୟ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମାନସ ପଟ୍ଟନାୟକ କ୍ରାନ୍ତି ସଙ୍ଗୀତ ପରିବେଷଣ କରିଥିଲେ ତଥା ବିଜୟ କୁମାର ଦାସଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ