ରକ୍ଷକ ନହେଉ ଭକ୍ଷକ
ଦିପ୍ତିମୟୀ ନାୟକ
ଦିନକୁ ଦିନ ଅପରାଧ ବଢିବା ସହ ଖାକି ପୋଷାକରେ ଦାଗ ଲାଗୁଛି | ଯଦିଓ ସବୁ ପୋଲିସ ସମାନ ନୁହଁନ୍ତି କିନ୍ତୁ କିଛି ପୋଲିସଙ୍କ ପାଇଁ ଖାକିରେ କଳଙ୍କ ଲାଗୁଛି | ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ହୋଇଥାଏ କିନ୍ତୁ ବର୍ତ୍ତମାନର କିଛି ପୋଲିସ ଅଧିକାରୀ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ସହ ସମାନ | ନା କିଛି ଦେଖିବେ ନା କିଛି ଶୁଣିବେ ନା କିଛି କହିବେ | ଅବଶ୍ୟ ଗାନ୍ଧିଜୀଙ୍କ ତିନି ମାଙ୍କଡଙ୍କ ବାର୍ତ୍ତା ଅନୁଯାୟୀ ଖରାପ କଥା ଦେଖ ନାହିଁ, ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ କିନ୍ତୁ ବର୍ତ୍ତମାନର କିଛି ପୋଲିସଙ୍କର ବ୍ୟବସ୍ଥା କିଛି ଅଲଗା ହୋଇଛି ଯଦି ଖରାପ କଥା ଦେଖୁଛ ଦେଖ, ଯଦି କିଛି ଖରାପ କଥା ଶୁଣୁଛ ତେବେ ଶୁଣ, ଯଦି କିଛି ଖରାପ କଥା କହୁଛ କୁହ | ଏକଥା ଏଠାରେ ଏଥିପାଇଁ କହିଲି ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗେଇବାକୁ ପ୍ରଶାସନିକ ସ୍ତରରେ ପୋଲିସ ବ୍ୟବସ୍ଥା ରହିଛି | ହେଲେ ବର୍ତ୍ତମାନର କିଛି ପୋଲିସ ବାବୁ ପୋଲିସ ବ୍ୟବସ୍ଥା ଗୁଡିକର ଦୂରୁପୋଯୋଗ କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ କଥା | ବାଡ଼ ଫସଲ ଖାଇଲା ଭଳି ପୋଲିସ ବାବୁମାନେ ଅପରାଧ, ଦୁର୍ନୀତିଗସ୍ତ ଭଳି କୁତ୍ସିତ କାର୍ଯ୍ୟ କରିବାକୁ ପଛାଉନାହାଁନ୍ତି | ଯାହାଫଳରେ ଖାକି ଉପରକୁ ଲୋକଙ୍କ ଭରଷା ତୁଟିବାରେ ଲାଗିଲାଣି | ଯେଉଁ ପୋଲିସ ଚାକିରୀ ଆରମ୍ଭରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଇନକାନୁନ ପାଳନ କରିବାକୁ ଶପଥ ନେଇଥାଏ ସେହି ପୋଲିସ ଯେତେବେଳେ ରକ୍ଷକ ବଦଳରେ ଭକ୍ଷକ ସାଜେ ସମଗ୍ର ପୋଲିସ ପ୍ରଶାସନକୁ କଳଙ୍କିତ ହେବାକୁ ପଡିଥାଏ | ତେବେ ଜଣେ ଯୁବତୀଙ୍କୁ ଭରତପୁର ଥାନା ଭିତରେ ଯୌନ ନିର୍ଯ୍ୟାତନା ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା | ତେଣୁ ସରକାରଙ୍କୁ ଅନୁରୋଧ ଏହି ଘଟଣାର ସଠିକ ତଦନ୍ତ ହେବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀ ମାନଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ହେଉ ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ |


