ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ାରେ ପାଣି ପର୍ଯ୍ୟଟକ ହନ୍ତସନ୍ତ
ନିମାପଡ଼ା,( ସନ୍ତୋଷ ଦାଶ) ଆମ ଗୌରବ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ହୋଇଛି ଜଳବନ୍ଦୀ। ଜମି ରହିଛି ଫୁଟେ ଉଚ୍ଚର ପାଣି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ୱ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି। ଫଳରେ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି। ଫଳରେ ସେମାନେ ମନ୍ଦିର ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ କେବଳ ପର୍ଯ୍ୟଟକ ମାନଙ୍କ ଠାରୁ ଅର୍ଥ ଆଦାୟ କରି ଚୁପ ବସିଥିବାରୁ ମନ୍ଦିର ବେଢ଼ାରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରୁ ନ ଥିବାରୁ ପର୍ଯ୍ୟଟକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମ ରାଜ୍ୟ ଏଥିପାଇଁ ଦେଶରେ ଓ ଦେଶ ବାହାରେ ବଦନାମ ହେଉଛି। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଚାଲିଥିବାରୁ ତୁରନ୍ତ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।