ଅସହାୟକୁ ସହାୟତା ହିଁ ମାନବିକତା ବୋଲି ଅତିଥିଙ୍କ ମତ
ବାଲେଶ୍ୱର, (ସରୋଜ ପଣ୍ଡା):ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଦିବସ ଅବସରରେ ପ୍ରତିବର୍ଷଭଳି ଚଳିତବର୍ଷ ଏକ ଜନକଲ୍ୟାଣକାରୀ ସେବାସଂସ୍ଥା ‘ସହାୟକ’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୌଣସି ସଂଗଠନର ବୟସ ବଢ଼ିଲେ ସେ ଯୁବକ କିମ୍ବା ବୃଦ୍ଧ ହୁଏନାହିଁ । ଏକ ସାମାଜିକ ସଂଗଠନ ସର୍ବଦା ଶିଶୁଭଳି ସମାଜରୁ ବିଭିନ୍ନ ଜନସମସ୍ୟା ଆହରଣ କରି ତାହାର ସମାଧାନ ପାଇଁ ଉଦ୍ୟମ କରେ । ସଂଗଠନର ପ୍ରତିଷ୍ଠାତାମାନେ ବାର୍ଦ୍ଧକ୍ୟରେ ପହଞ୍ôଚଯାଇଥିଲେ ମଧ୍ୟ ସଂଗଠନ କିନ୍ତୁ ଅଭିଜ୍ଞତାକୁ ଗ୍ରହଣ କରି ଅଧିକ ଧାବମାନ ହୁଏ ।ସଂଗଠନ ସଭାପତି ଡ. କ୍ଷିତୀଶ୍ୱର ଦାଶଙ୍କ ଅଧ୍ୟତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତାଭାବେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ, ସମ୍ମାନିତ ଅତିଥିଭାବେ ସହାୟକର ବରିଷ୍ଠ ଉପଦେଷ୍ଟା ତଥା ପ୍ରତିଷ୍ଠାତା ସଦସ୍ୟ ଧିରେନ୍ଦ୍ର ନାରାୟଣ ଦାସ ଓ ଇଂ. ବନମାଳୀ ନାୟକ ଯୋଗଦେଇ ମାନବ ସମାଜରେ ଅସହାୟକୁ ସହାୟତା ପ୍ରଦାନ କରିବା ଏକ ମାନବୀୟ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ । ସାଧାରଣ ସଂପାଦକ ଇଂ. ହୃଷିକେଶ ସାହୁ ବାର୍ଷିକ ବିବରଣୀ ଏବଂ ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ସଂଗଠନର ବାର୍ଷିକ ମୁଖପତ୍ର-୨୦୨୪କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ସଂଗଠନ, ବ୍ୟକ୍ତିବିଶେଷ, କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଶ୍ରୀଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଓ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସଂଗୀତ ଗୁରୁ ଭୁବନମୋହନ ପ୍ରଧାନ ଜଗନ୍ନାଥଙ୍କ ଜଣାଣ ଓ କଲ୍ୟାଣୀ ନନ୍ଦ ଏବଂ ତାଙ୍କର ସାଥୀମାନେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ । ପ୍ରତିମା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ଦାସ, ଗୁଣାକର ଦେ, ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ଅକ୍ଷୟ କୁମାର କର, ରବିନାରାୟଣ ଭୋଳ, ଦୀପ୍ତିଲତା ଦାସ, ସୁରେନ୍ଦ୍ର ପ୍ରସାଦ ଧଳ, ସରସ୍ୱତୀ ନନ୍ଦ, ନିରଞ୍ଜନ ପଣ୍ଡା, ପ୍ରଣିତା ମିଶ୍ର, ଇଂ. କେଶବ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ଜେନା, ଡା. ତାରାକାନ୍ତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ସଂଗଠନର ପୂର୍ବତନ ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ଓ ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଗତକାଲି ସଂଗଠନ ପକ୍ଷରୁ ୫୦ ଜଣରୁ ଊର୍ଦ୍ଧ୍ୱ ଦୁଃସ୍ଥ ନରନାରୀଙ୍କୁ ଖାଦ୍ୟ ଓ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା ।


