ବାଲେଶ୍ୱର ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ବାଲେଶ୍ୱର ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର, ମାନ୍ୟବର ବିଧାୟକ, ସିମୁଳିଆ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ ପାତ୍ର , ମାନ୍ୟବର ବିଧାୟକ, ବାଲେଶ୍ଵର ସଦର ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ମାନ୍ୟବର ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ସୋର ଶ୍ରୀ ମାଧବ ଧଡ଼ା, ମାନ୍ୟବର ବିଧାୟକ ଭୋଗରାଇ ଶ୍ରୀ ଗୌତମବୁଦ୍ଧ ଦାସ ଓ ଜିଲ୍ଲାପରିଷଦର ମାନ୍ୟବର ଉପାଧ୍ୟକ୍ଷା ଶ୍ରୀମତୀ ଅନଶୁୟା ପ୍ରଧାନ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ବୈଠକରେ ମାନ୍ୟବର ଜିଲ୍ଲା ପରିଷଦର ସମସ୍ତ ଉପସଭାପତି, ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ବୈଠକ ପରିଚାଳନା କରିଥିଲେ I ଏହି ବୈଠକରେ ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ତୃଣମୂଳସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନା କରିଥିଲେ I ସଭାରେ ସର୍ବପ୍ରଥମେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ପୂରଣ ନିମନ୍ତେ ମୋଟ ୬୦୦ ଜଣ ଯୋଗ୍ୟ ପ୍ରାର୍ଥୀଙ୍କର ଦରଖାସ୍ତ ଯାଞ୍ଚ କରାଯାଇ ଚୂଡାନ୍ତ ତାଲିକାର ଅନୁମୋଦନ ଓ ନିଯୁକ୍ତି ପତ୍ର ପ୍ରଦାନ ସମ୍ବନ୍ଧରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା I ଏହା ପରେ ଚଳିତ ବର୍ଷ ୨୦୨୪-୨୫ ନିମନ୍ତେ ପଞ୍ଚମ ଏସଏଫସି ଜିଆଇଏ ଯୋଜନାରେ ବିଭିନ୍ନ ପଂଚାୟତ ସମିତିରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏହା ପରେ ସମ୍ପ୍ରତି ବନ୍ୟା ମୁକାବିଲା ସମ୍ବନ୍ଧୀୟ ଆଲୋଚନା କରାଯାଇ ପ୍ରବଳ ବର୍ଷା ହେତୁ ସୁବର୍ଣ୍ଣରେଖା ଓ ଅନ୍ୟ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ସଦର, ରେମୁଣା ଓ ସୋର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା I ସେହି ଭଳି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ କରିବା ସହିତ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ ଶୀଘ୍ର ନୂଆ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି କରାଯାଇ ଆବଶ୍ୟକୀୟ ଚିକିତ୍ସାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୁରଣ କରାଯିବ ବୋଲି ସୂଚନା ଦେଇଥିଲେ I ସେହିଭଳି ଜିଲ୍ଲା ସଂସ୍କୃତି ଅଧିକାରୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା କଳାକାରଙ୍କ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ I ଏଥିସହିତ ବନ ବିଭାଗ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଭଳି ଅନ୍ୟାନ୍ୟ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ସଭାରେ ଆଲୋଚନା କରାଯାଇଥିଲା I ବୈଠକରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବୀ, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କଠାରୁ ପ୍ରତିଶୃତି ହାସଲ କରିଥିଲେ I ସଭାରେ ପଚରାଯାଇଥିବା ସମସ୍ତ ଯୁକ୍ତିଙ୍କୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ପ୍ରତିଶୃତି ଦେଇ ଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ସମସ୍ୟା ଗୁଡ଼ିକ ପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I


