ଡିଜିଏମଏସ ପକ୍ଷରୁ ଖଣିରେ ସୁରକ୍ଷିତ ବାରୁଦ ବ୍ୟବହାର ସମ୍ପର୍କିତ କର୍ମଶାଳା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଖଣି କାର୍ଯ୍ୟରେ ବ୍ୟବହୃତ ବାରୁଦର ସୁରକ୍ଷିତ ସଂରକ୍ଷଣ, ପରିବହନ ଓ ବ୍ୟବହାର ନେଇ ଖଣି ନିରାପତ୍ତା ମହାନିର୍ଦ୍ଦେଶକ (ଡିଜିଏମଏସ), ଭୁବନେଶ୍ୱର ରିଜିଅନ-୧ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋୟାବାଲିସ୍ଥିତ ଏସଏମଏପିଏଲ ପ୍ରେକ୍ଷାଳୟରେ ଏକ ବିଶେଷ କର୍ମଶାଳା ଆୟୋଜିତ ହୋଇଯାଇଛି। ୩୦ଟି ଖଣି ସଂସ୍ଥାର ପ୍ରତିନିଧିଙ୍କ ସମେତ ୧୫୬ ଜଣ ଏଜେଣ୍ଟ, ମ୍ୟାନେଜର, ସୁରକ୍ଷା ଅଧିକାରୀ, ବ୍ଲାଷ୍ଟିଂ ଇନଚାର୍ଜ, ବ୍ଲାଷ୍ଟିଂ କ୍ରିଉ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଖଣି କାର୍ଯ୍ୟରେ ବାରୁଦର ସୁଦକ୍ଷ ବ୍ୟବହାର ସହ କିପରି ସୁରକ୍ଷା ଓ ସତର୍କତାକୁ ଅଧିକ ଧ୍ୟାନ ଦିଆଯିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା। ଦକ୍ଷିଣ ପୂର୍ବାଞ୍ଚଳ ରାଞ୍ଜି ଜୋନର ଖଣି ନିରାପତ୍ତା ଉପ ମହାନିର୍ଦ୍ଦେଶକ ଶ୍ରୀ ଶ୍ୟାମସୁନ୍ଦର ପ୍ରସାଦଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ରିଜିୟନ-୧ ଖଣି ନିରାପତ୍ତା ନିର୍ଦ୍ଦେଶକ ଶ୍ରୀ କ୍ରିଷ୍ଣେନ୍ଦୁ ମଣ୍ଡଳ, ଖଣି ନିରାପତ୍ତା ଉପ ନିର୍ଦ୍ଦେଶକ ଶ୍ରୀ ହରିପ୍ରସାଦ ଏହି କର୍ମଶାଳାରେ ଏହି କାର୍ଯ୍ୟକ୍ରମରେ ଯୋଦଦେଇଥିଲେ। ଶ୍ରୀ ଶ୍ୟାମସୁନ୍ଦର ପ୍ରସାଦ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ ବ୍ଲାଷ୍ଟିଂ ସମୟରେ ବିଭିନ୍ନ ନିରାପଦ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ। ଦୁର୍ଘଟଣା ହ୍ରାସ କରିବା ପାଇଁ ବାରୁଦର ବ୍ୟବହାରକୁ କମାଇବା ସହ ଏହାର ବ୍ୟବହାର ଓ ପରିବହନରେ ଡିଜିଏମଏସ ଅନୁମୋଦିତ ନିରାପତ୍ତା ପଦ୍ଧତି କାର୍ଯ୍ୟକାରି କରାଯିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଜଣେ ବାରୁଦ ନିର୍ମାତା ଓ ଯୋଗାଣକାରୀଙ୍କ ସମେତ ୧୦ କମ୍ପାନିଙ୍କ ଦ୍ୱାରା ଏ ସମ୍ପର୍କିତ ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ଏହି କର୍ମଶାଳାରେ ଏସଏମପିଏଲର ନିର୍ଦ୍ଦେଶକ ଶ୍ରୀ ଅର୍ଜୁନ ଶର୍ମା, ଏସଏମପିଏଲର ଏଚଆର ମୁଖ୍ୟ ଶ୍ରୀ ବିବି ସାହୁ, ଏସଏମପିଏଲ ମାଇନ୍ସ ଉପସଭାପତି ଶ୍ରୀ ଏଚଏନ ସିଂହ ଖଣି ନିରାପତ୍ତା ନେଇ କମ୍ପାନିର ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାସିଆ ଆଇରନ ଓ ଡୋଲୋମାଇଟ ମାଇନ୍ସ ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ଖଣି ପରିଚାଳନା କ୍ଷେତ୍ରରେ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ କମ୍ପାନିର ସଂକଳ୍ପବଦ୍ଧତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।