ସରପଞ୍ଚଙ୍କ ବିରୁଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆକରୁଆରେ ଉତେଜନା
ହାଟଡିହି, (ବିକାଶ ବିଶ୍ୱାଳ):ସରପଞ୍ଚଙ୍କ ବିରୁଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆକରୁଆରେ ଉତେଜନା ଦେଖାଦେଇଛି। ଅଧିକାରୀ କି ୱାର୍ଡ ସଭ୍ୟସଭ୍ୟା ମାନେ ନ ଆସିବାରୁ ଅନାସ୍ଥା ପ୍ରସ୍ତାବ ବୈଠକ ହୋଇପାରିନି। ଆଜି ଆକରୁଆ ପଞ୍ଚାୟତର ସରପଞ୍ଚ ହେମଲତା ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବାକୁ ଥିଲା। ଉପଜିଲ୍ଲାପାଳଙ୍କ ଚିଠି ନଂ ୧୦୦୬୪ ତା ୧୧/୧୧/୨୦୨୪ରେ ଆଜି ଦିନ ୧୧ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୈଠକ କରାଯାଇ ଅନାସ୍ଥା ପ୍ରସ୍ତାବ ସମ୍ପର୍କ ରେ ଆଲୋଚନା ପାଇଁ ନୋଟିସ୍ କରାଯାଇ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ଅବଗତ କରାଯାଇଥିଲା। ଏଥିରେ ଅଧିକାରୀ ଭାବେ ଆନନ୍ଦପୁର ତହସିଲଦାର ଯୋଗଦେବେ ବୋଲି ଉଲ୍ଲେଖ କରାଯାଇ ଥିଲା। ଯାହାକୁ ନେଇ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ୯ଟା ବେଳୁ ଶତାଧିକ ଲୋକ ଏହାକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡିଭୁତ ହୋଇ ଏହାର ପ୍ରତିବାଦ କରିଥିଲେ। ଦୁଇଟି ୱାର୍ଡର ଲୋକମାନେ ସେମାନଙ୍କ ୱାର୍ଡ ସଭ୍ୟ ମାନଙ୍କୁ ଘରକୁ ନେଇ ଯିବାକୁ ବସିଥିଲେ। ଆମେ ଭୋଟ ଦେଇ ୱାର୍ଡ ସଭ୍ୟଙ୍କୁ ମନୋନୀତ କରିଥିଲୁ। କିନ୍ତୁ ଆମକୁ ନ ପଚାରି ସେ କାହିଁକି ଅନାସ୍ଥା ଆଣିବେ। ତେଣୁ ଆମ ୱାର୍ଡ ସଭ୍ୟଙ୍କୁ ଆମେ ଘରକୁ ନେଇକି ଯିବୁ। ତାଙ୍କୁ ପ୍ରଲୋଭନ ଦେଖାଇ ମାସେ ହେଲା ନେଇଯାଇ ଅଜ୍ଞାତ ବାସରେ ରଖାଇଛନ୍ତି। ପଦ୍ମନାଭ ଜେନା, ତ୍ରୈଲୋକ୍ୟ ଜେନା, ଲତା ଯେନା, ଲିପୁ ଜେନା, ଶରତ ଜେନା ପ୍ରମୁଖ ଗ୍ରାମବାସୀଙ୍କ କହିବା କଥା ଯେ ଏଠାକାର ଜିଲ୍ଲାପରିଷଦ ପଞ୍ଚାୟତରେ କିଛି ୱାର୍ଡ ସଭ୍ୟସଭ୍ୟାଙ୍କୁ ହାତବାରିଶି କରି ପଞ୍ଚାୟତରେ ବିଶୃଙ୍ଖଳା ସୃଷ୍ଟି କରାଉଛନ୍ତି ବୋଲି ଅଭିଯୋଗ କରିଥିଲେ। ସରପଞ୍ଚ ଓ ତାଙ୍କ ଭିତରେ ତିକ୍ତତା ଯୋଗୁଁ ପଞ୍ଚାୟତରେ କୌଣସି ବିକାଶ ମୁଳକ କାର୍ଯ୍ଯ ହୋଇ ପାରୁନି। ତେଣୁ ପଞ୍ଚାୟତ ଟି କିପରି ସୁଚାରୁ ରୂପେ ଚାଲିବ ଓ ପଞ୍ଚାୟତ ର ଉନ୍ନୟନ ମୂଳକ କାମ ଆଗେଇବ ତାହାକୁ ପ୍ରଶାସନ ଗୁରୁତ୍ଵ ଦେଉ ବୋଲି ସେମାନେ ଦାବି କରିଥିଲେ। କିନ୍ତୁ ଅପରାହ୍ନ ଦୁଈଟା ସୁଧା କେହି ଅଧିକାରୀ ପଞ୍ଚାୟତ କୁ ଆସିନଥିଲେ। ଏ ସମ୍ପର୍କରେ ଜିଲ୍ଲା ପରିଷଦଙ୍କୁ ପଚାରିବାରେ ଗ୍ରାମବାସୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ୱାର୍ଡସଭ୍ୟ ମାନେ ଅନାସ୍ଥା ଆଣିଛନ୍ତି। ସେମାନେ ସମର୍ଥନ କି ବିରୋଧ କରିବେ। ସେଥିରେ ମୋର କିଛି ଭୂମିକା ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ହାଟଡିହି ବ୍ଲକର ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜଙ୍କୁ ପଚାରିବାରେ ଆଜି ସଭାରେ ଉପସ୍ଥିତ ରହିବାକୁ ଥିବା ଅଧିକାରୀ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ରହିବାରୁ ଅନାସ୍ଥା ବୈଠକକୁ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ଏନେଇ ଉପଜିଲ୍ଲାପାଳଙ୍କ ଚିଠି ନଂ ୧୦୬୫୮ ତା ୩୦/୧୧/୨୦୨୪ ରେ ସମସ୍ତଙ୍କୁ ଅବଗତ କରାଇ ଦିଆ ଯାଇଥିବା ସୂଚନା ଦେଇଛନ୍ତି। ଏଠାରେ ସୂଚନଯୋଗ୍ୟ ଯେ ପଞ୍ଚାୟତ ର ୱାର୍ଡ ସଭ୍ୟ ମାନେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ୮ଜଣ ସଭ୍ୟ ମାସେ ହେଲା ଅଜ୍ଞାତ ବାସରେ ରହିଛନ୍ତି।


