ବିକାଶ କ୍ଷେତ୍ରରେ ଲୋକ ଭାଗିଦାରୀ ଅପରିହାର୍ଯ୍ୟ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସହଭାଗୀ ବିକାଶ ମଞ୍ଚ ତରଫରୁ ଆଗାମୀ ପୌର ପରିଷଦ ନିର୍ବାଚନ ପାଇଁ ଏକ ‘ନାଗରିକ ଘୋଷଣା ପତ୍ର’ ପ୍ରସ୍ତୁତି ନିମନ୍ତେ ଏସ୍ଭିଏମ୍ର ଆବାହକ ସଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ବୁଦ୍ଧମନ୍ଦିର ପରିସରରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସହରାଞ୍ଚଳ ଗୁଡ଼ିକର ସାମଗ୍ରିକ ବିକାଶ ଏବଂ ସବୁବର୍ଗର ଲୋକଙ୍କ ପାଇଁ ସମାନ ସୁବିଧା ସୁଯୋଗ ପ୍ରଦାନ, ଗରିବ, ନିଃସହାୟ, ଭିକାରୀ, ଶ୍ରମିକ, ବାସହୀନମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଜୀବିକା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ପ୍ରାଥମିକ ଦାୟିତ୍ୱ । ୱାର୍ଡ଼ସ୍ତରରୁ ବିକାଶର କାର୍ଯ୍ୟଖସଡ଼ା, ଅର୍ଥ ବରାଦ ଏବଂ ତଦାରଖ ବ୍ୟବସ୍ଥା ଲାଗୁ କରିବା, ‘ଏରିଆ ସଭା’ ଏବଂ ‘ୱାର୍ଡ଼ ସଭା’ ଗଠନ, ସଶକ୍ତ ତଥା ଉତ୍ତରଦାୟୀ କରାଇବା । ୭୪ତମ ସମ୍ବିଧାନ ସଂଶୋଧନର ୧୨ତମ ଅନୁଚ୍ଛେଦ ଥିବା ସମସ୍ତ ୧୮ ଗୋଟି ବିଷୟକୁ ନଗର ପାଳିକାକୁ ହସ୍ତାନ୍ତର କରିବା, ୱାର୍ଡ଼ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବା ସହିତ ଏହାର ଗୁଣାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବା, ବାସହୀନମାନଙ୍କ ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ, ଶ୍ରମିକମାନଙ୍କ ପାଇଁ ଲେବର ଆଡ଼ା, ସ୍ୱତନ୍ତ୍ର ବସ୍ ଚଳାଚଳ, ସହରର ପ୍ରତି ଏକ କିଲୋମିଟର ବ୍ୟବଧାନରେ ଗୋଷ୍ଠୀ ଶୌଚାଳୟ ଏବଂ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା, ସମସ୍ତ ବସ୍ତିବାସିନ୍ଦା, କିନ୍ନର, ଭିନ୍ନକ୍ଷମ, ଘରୋଇ ଶ୍ରମିକ, ଉଠାଦୋକାନୀମାନଙ୍କୁ ଜମି ଅଧକାର ଏବଂ ଆର୍ôଥକ ସହାୟତା ପ୍ରଦାନ କରିବା, ସରକାରୀ ଯୋଜନା ପାଇଁ ହିତାଧିକାରୀ ଚୟନ, ୱାର୍ଡ଼ ସଭା କିମ୍ବା ଏରିଆ ସଭା ଜରିଆରେ କରିବା, ପ୍ରତିମାସରେ ଅଭିଯୋଗ ଶୁଣାଣୀ ୱାର୍ଡ଼ସ୍ତରରେ କରାଯାଉ । ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମମାନଙ୍କର ଭତ୍ତା ୫ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ସର୍ବନିମ୍ନ ମଜୁରୀ ୬୫୦ଟଙ୍କାକୁ ବୃଦ୍ଧି କରିବା, ବିପର୍ଯ୍ୟୟ ମୁକାବିଲା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ଅଧିକ ଆଧୁନିକ ତଥା ସଶକ୍ତ କରିବା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି, ବରିଷ୍ଠ ସାମ୍ବାଦିକ ମହେଶ ଶର୍ମା, ସିଏସ୍ଏଏନର ଅଧ୍ୟକ୍ଷ ଧୀରେନ୍ଦ୍ର ପଣ୍ଡା, ସୁବାସ ପଣ୍ଡା, ଉଷାରାଣୀ ବେହେରା, ସଂଯୁକ୍ତା ଦାସ, ଦେବବ୍ରତ ପାତ୍ର, ସଦାଶିବ ସ୍ୱାଇଁ, ମନୋଜ ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ, ଅଖଣ୍ଡ, ଜ୍ୟୋତ୍ସ୍ନା ଦାସ ଏବଂ ବିଭିନ୍ନ ସାହି ବା ନାଗରିକ ଫୋରମର ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ସିପାର ପ୍ରୋଜେକ୍ଟ ମ୍ୟାନେଜର ରୋଜାଲିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଏବଂ ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।