ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାରୁ ଉଠିଲାଣୀ ପିଚୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବାଲିଭଉଁରୀ-ଶିଖରଘାଟ ରାସ୍ତାଟି ନାଉଗାଁ ବ୍ଳକର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତାଟି ପୂର୍ତ ବିଭାଗ ଅଧିନରେ ରହିଛି ।ଏହି ରାସ୍ତାଟି ବାଲିଭଉଁରୀ ନିକଟରୁ ବାହାରି ନାଉଗାଁ ବ୍ଲକ ଦେଇ ଶିଖରଘାଟ ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତାଟି ବ୍ଳକର ମୁଖ୍ୟ ରାସ୍ତା ହୋଇଥିବା ହେତୁ ରାସ୍ତାରେ ଦୈନିକ ଶହ ଶହ ଯାନବାହନ ଚଳାଚଳ କରିଥାଏ । ଏହି ରାସ୍ତାଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଥିଲା । ରାସ୍ତାର ସମସ୍ୟାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ଏକ ମାସ ତଳେ ପାଳସାହି ଠାରୁ ବାଲିଭଉଁରୀ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯାଇଛି । ମାତ୍ର ମରାମତି କାର୍ଯ୍ୟ ହେବାର ମାସେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠୁଥିବା ଦେଖିବାକୁ ମିଳିଛି । କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ ବିଭାଗ ପକ୍ଷରୁ ରାସ୍ତାର ମରାମତି କାର୍ଯ୍ୟ ପାଇଁ ପାଖାପାଖି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପାଇଥିବା ଠିକାଦାର ଦ୍ୱାରା ରାସ୍ତା ମରାମତି କାର୍ଯର୍୍ୟ କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମରାମତି କାର୍ଯ୍ୟ ହେବାର ମାସେ ପୁରଣ ନ ହେଉଣୁ ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠିଗଲାଣି । ନିମ୍ନମାନର କାର୍ଯ୍ୟ ଯୋଗୁ ପିଚୁ ଉଠିଥବା ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟେହ ଏହି ଜିଲ୍ଲା ସମେତ କଟକ, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାତ୍ରୀବାହୀ ଯାନ ସମେତ ମାଲବାହି ଗାଡି ଯିବା ଆସିବା କରିଥାଏ । ଯାନବାହନ ଯିବା ଆସିବା କରିବା ଫଳରେ ଆଗକୁ ରାସ୍ତାର ଅବସ୍ଥା ଅଧିକ ଖରାପ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଉକ୍ତ ରାସ୍ତାକୁ ଉନ୍ନତମାନର ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବିଭାଗର ଏସଡିଓ ଅଭିଷେକ ସେଠୀଙ୍କୁ ପଚାରିବାରେ ଏବିଷୟରେ ମୁଁ ଅବଗତ ନଥିଲି । ରାସ୍ତାର ଅବସ୍ଥା ଦେଖିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Advertisement

ଏବେ ଏବେ