ମାରଦା ମହୋତ୍ସବ ପାଇଁ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ
ପୋଲସରା, (ଅନିଲ କୁମାର ମହାରଣା):ଶ୍ରୀ ଜଗନ୍ନାଥଙ୍କ ଅଢେଇ ବର୍ଷର ଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ମାରଦା ମହୋତ୍ସବ ପାଇଁ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୩ ଓ ୨୦୨୪ ମସିହାରେ ପ୍ରଥମ ଓ ଦ୍ଵିତୀୟ ମାରଦା ମହୋତ୍ସବ ପୋଲସରା ଲୁନିଘାଟି ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ମାରଦା ବୈଠକ ୨୦୨୫ ଜାନୁଆରୀ ୧୪, ୧୫ ଓ ୧୬ ତାରିଖ ତିନିଦିନ ପାଇଁ ମାରଦା ମନ୍ଦିର ପରିସରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମାରଦା ମହୋତ୍ସବ ପାଳନ ପାଇଁ ପୂର୍ଣ୍ଣାଙ୍ଗ ବୈଠକ ଡିସେମ୍ବର ୮ ତାରିଖ ଦିନ ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ତଥା ମାରଦା ମହୋତ୍ସବ କମିଟି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ମାରଦା ମନ୍ଦିର ପରିସରରେ ପରିକ୍ରମା ଲାଗି ଓ ମନ୍ଦିର ପୂର୍ବ ପଟରେ ସିଂହଦ୍ଵାର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ। ପୁରୀ ଶ୍ରୀମନ୍ଦିରରୁ ପ୍ରତିବର୍ଷ ଚାରିଗୋଟି ପତିତପାବନ ବାନା ଓ ନନ୍ଦିଘୋଷ ରଥର ଏକ ଚକା ମାରଦା ମନ୍ଦିର ପାଇଁ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ହୋଇଥିଲା। ଏଥିସହ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ମାରଦା ମନ୍ଦିର ପୂଜାର୍ଚ୍ଚନା ପାଇଁ ବାର୍ଷିକ ୩୬୦୦ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ତାହା ବର୍ଦ୍ଧିତ କରି ଦୈନିକ ୫୦୦ ଟଙ୍କା ଦେବାକୁ ଅନୁରୋଧ କରାଗଲା। ମହୋତ୍ସବର ସମସ୍ତ ପ୍ରସ୍ତୁତି କିପରି ଉତ୍ତମ ଭାବେ ହେବା ସହିତ ଟ୍ରାଫିକ ନିୟନ୍ତ୍ରଣ, ଯାନବାହନ ପାର୍କିଂ, ସମସ୍ତଙ୍କ ପାଇଁ ପ୍ରସାଦ ସେବନ ଉପରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିର ଅଧ୍ୟକ୍ଷ ତଥା ଗଜପତି ମହାରାଜଙ୍କ ସହିତ କେନ୍ଦ୍ର ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ପରିବହନ ବିଭାଗ, ଆଇନ ବିଭାଗ , ଶିଳ୍ପ ବିଭାଗ, ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ବୃନ୍ଦଙ୍କ ସହ ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ ବୃନ୍ଦ ଏବଂ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ପ୍ରୋଜେକ୍ଟ ଡ଼ାଇରେକ୍ଟର, ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗର ଅଧିକାରୀଙ୍କୁ ଅତିଥି ଭାବେ ଆଣିବାକୁ ସ୍ଥିର କରାଗଲା। ମହୋତ୍ସବରେ କୌଳିକ ବୃତିର ପଲିଶ୍ରୀ ମେଳା ଅନୁଷ୍ଠିତ କରାଇବା ସହିତ ମହୋତ୍ସବ ଲାଗି ଦିନରେ ପୂଜା ଅର୍ଚ୍ଚନା, ହୋମ ଅନୁଷ୍ଠିତ କରାଇ ଓଡ଼ିଶାର ଲୋକକଳା ପରମ୍ପରା, ବିଭିନ୍ନ ସ୍କୁଲମାନଙ୍କର ଛାତ୍ରଛାତ୍ରୀଙ୍କ ନୃତ୍ୟ ଓ ପୋଲସରା ନିର୍ବାଚନ ମଣ୍ଡଳୀର ଓଏଏସ, ଆଇଏଏସ୍, ଏମବିବିଏସ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ପାଇଁ ଆଲୋଚନା ହୋଇ ସ୍ଥିର କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ, ଗ୍ରାମ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ଅଧିକାରୀ, ଆଇଆଇସି କୌଶିକ ମାଝୀଙ୍କ ସମେତ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା, ଉପ ସଭାପତି ମୋଚିରାମ ସାହୁ, ସମୀକ୍ଷକ ଦୀପକ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ରଥ, ସହ ସମ୍ପାଦକ ପବିତ୍ର କୁମାର ନାୟକ , ମଥୁରା ଜଗନ୍ନାଥ ମନ୍ଦିର ମଠାଧିଶ ଶ୍ରୀ ସୁନ୍ଦରରାମ ଦାସ, ମରଦା ମନ୍ଦିର କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ରହି ମାରଦା ମହୋତ୍ସବର ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।