ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଆର୍ଥିକ ସ୍ୱାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଆର୍ଥିକ ସ୍ୱାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ୱଳ୍ପ ସଂଚୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ପୋଷ୍ଟ ଅଫିସର ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ ସଂଜୟ ଦୋରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଲେଭେଲ ଫେଡ଼ରେସନ ର ସମ୍ପାଦିକା ଶୈଳବାଳା ରଥ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ପୁରୁଷୋତ୍ତମ ଚର୍ତ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଅଙ୍କନବାଡି କର୍ମୀ, ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ । ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା, ସୁରକ୍ଷିତ ସଂଚୟ, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା, ଓଡିଶା ସରକାରଙ୍କ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏବଂ ଉଠାଣ ସମ୍ବଦ୍ଧରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ସ୍ୱଳ୍ପ ସଂଚୟ କାର୍ଯ୍ୟାଳୟର କନିଷ୍ଠ ସହାୟକ ମୋନାଲିସା ଦାଶ, ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ଆର୍. ପ୍ରଭାକର ରାଓ, ସଦାଶିବ ପାଣିଗ୍ରାହୀ, ଖିରୋଦ ରଥ, ସୁରେନ୍ଦ୍ର ନାୟକ, ଉମା ଶଙ୍କର ସ୍ୱାମୀ, ଏନ୍. ସସ୍ମିତା ରାଣୀ, ଇ. ମାଧବୀ, ସବିତା ସାହୁଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇ ସହଯୋଗ କରିଥିଲେ ।