ବିବାଦରେ ‘ଛପାକ’, କାହାଣୀ ଚୋରି ଅଭିଯୋଗ

ମୁମ୍ବାଇ : ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଦୀପିକା ପାଦୁକୋନଙ୍କ ଅଭିନୀତ ସିନେମା ‘ଛପାକ’ ୧୦ ଜାନୁଆରୀ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ରିଲିଜ୍‌ ପୂର୍ବରୁ ଏହି ସିନେମା ବିବାଦରେ ଫସିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମ ଉପରେ ଜଣେ ରାଇଟର କାହାଣୀ କପି କରାଯାଇଥିବା ଅଭିଯୋଗ ଲଗାଇଛନ୍ତି। ଏହି ଅଭିଯୋଗ ପାଇଁ ଏବେ ‘ଛପାକ’ କୋର୍ଟରେ ପହଞ୍ଚିଛି। ରାକେଶ ଭାରତୀ ନାମକ ଜଣେ ଲେଖକ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରି ଦାବି କରିଛନ୍ତି ଯେ ଫିଲ୍ମର କାହାଣୀରେ ତାଙ୍କୁ କ୍ରେଡିଟ୍‌ ଦିଆଯାଉ। ରାକେଶଙ୍କ ମୁତାବକ ‘ଛପାକ’ର କାହାଣୀର ଆଇଡିଆ ତାଙ୍କର ଥିଲା। ସେ ଏହି କାହାଣୀ ‘ବ୍ଲାକ୍‌ ଡେ’ ନାମକ ସିନେମା ପାଇଁ ଲେଖିଥିଲେ। ଏହାକୁ ସେ ଇଣ୍ଡିଆନ ମୋସନ୍‌ ପିକ୍‌ଚର୍ସ ଆସୋସିଏସନ୍‌ରେ ଫେବ୍ରୁଆରୀ ୨୦୧୫ରେ ପଞ୍ଜୀକରଣ କରିଥିଲେ। ସେତେବେଳେ ଏହି ସ୍କ୍ରିପ୍ଟ ନେଇ ପ୍ରଯୋଜକ ଓ ଅନ୍ୟ କଳାକାରଙ୍କ ପାଖକୁ ଯାଉଥିଲେ। ଏପରିକି ସେ ଫକ୍ସ ଷ୍ଟାର୍‌ ଷ୍ଟୁଡିଓର ଚକ୍କର ମଧ୍ୟ ଲଗାଇଥିଲେ ବୋଲି ରାକେଶ କହିଛନ୍ତି। ରାକେଶ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି କାରଣ ବଶତଃ ଏହି ସ୍କ୍ରିପ୍ଟ ଉପରେ ଫିଲ୍ମ ତିଆରି କରିବା ସମ୍ଭବ ହୋଇ ନ ଥିଲା। ଛପାକ ସିନେମାର ପ୍ରଯୋଜନା ଦାୟିତ୍ବ ମେଘନା ଗୁଲଜାର, ଦୀପିକା ପାଦୁକୋନ, ଗୋବିନ୍ଦ ସିଂ ସାନ୍ଧୁ ଓ ଫକ୍ସ ଷ୍ଟାର୍‌ ଷ୍ଟୁଡିଓ ନେଇଛି। ରାକେଶଙ୍କ ଓକିଲ ଅଶୋକ ସାରୋଗି କହିଛନ୍ତି ଯେ ତାଙ୍କ ମହକିଲ ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ କାହାଣୀ ସହିତ ମିଶୁଥିବା ଏକ ସିନେମା ମେଘନା ଗୁଲଜାର କରୁଛନ୍ତି। ଏ ସମ୍ପର୍କରେ ପ୍ରଯୋଜକଙ୍କ ନିକଟରେ ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ଥିଲା। ଫଳରେ ସେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ବୋଲି ଅଶୋକ କହିଛନ୍ତି। ରାକେଶ ଏହି ସିନେମାର ରିଲିଜ୍‌ ଉପରେ ମଧ୍ୟ ରୋକ ଲଗାଇବାକୁ ଦାବି କରିଛନ୍ତି। ତେବେ ୨୭ ଡିସେମ୍ବର ୨୦୧୯ରେ ମୁମ୍ବାଇ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ