ଡେରିକି ପଂଚାୟତର ପୂର୍ବତନ ସରପଂଚଙ୍କ ପରଲୋକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଂଚାୟତସ୍ଥିତ ଡେରିକି ଗ୍ରାମର ବାଉରୀବନ୍ଧୁ ଜେନାଙ୍କ ବୁଧବାର ସଂଧ୍ୟାରେ ପରଲୋକ ଘଟିଛି । ସ୍ୱର୍ଗତ ଜେନା ଡେରିକି ପଂଚାୟତର ପୂର୍ବତନ ସରପଂଚ ଥିଲେ । ସ୍ୱର୍ଗତ ଜେନା ରାଜନୈତିକ କ୍ଷେତ୍ରରେ ଯେତିକି ପରିଚିତ ଥିଲେ ତା’ଠାରୁ ଧାର୍ମିକ କ୍ଷେତ୍ରରେ ଅଧିକ ପରିଚିତ ଥିଲେ । ସ୍ୱର୍ଗତ ଜେନା ଜଣେ ସରଳ, ମିଷ୍ଠଭାଷୀ, ମେଳାପୀ ତଥା ପରୋପକାରୀ ମଣିଷ ଭାବରେ ଖୁବ୍ ପରିଚିତ ଥିଲେ । ତାଙ୍କ ପରି ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ନାଉଗାଁ ମାଟି ହରାଇଥିବା ହେତୁ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, କୋରୁଅ ପଂଚାୟତର ପୂର୍ବତନ ସରପଂଚ ନଗେନ୍ଦ୍ରନାଥ ନାୟକ, ପ୍ରହଲ୍ଲାଦ ବିଶ୍ୱାଳ, ସମାଜସେବୀ ଦୀପ କୁମାର ବିଶ୍ୱାଳ, ମହାଦେବ ସେଠୀ, ବିବେକାନନ୍ଦ ବାରିକଙ୍କ ସମେତ ଅଂଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମରଶରୀରକୁ ଗୁରୁବାର ସକାଳ ସମୟରେ ଏକ ଶୋଭାଯାତ୍ରାରେ ନିଆଯାଇ ନିଜ ଗ୍ରାମ ସହିତ ଗଂଗଦାହାଟ ପରିକ୍ରମା କରାଯାଇଥିଲା । ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ ପୁଅ ଅଶୋକ ମୁଖାଗ୍ନୀ ଦେଇଥିବା ବେଳେ ପୁଅ ରମାକାନ୍ତ, ସୁବାସ ଉପସ୍ଥିତ ଥିଲେ ।