ଭୂତକୋଠି ପାଲଟିଛି ନୂଆଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା):  ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଖଜୁରୀପଦା ଠାରେ ରହିଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଏବେ ଭୂତକୋଠି ପାଲଟିଛି। ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱହୀନତା ସହ  ରକ୍ଷଣବେକ୍ଷଣର ଅଭାବ ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ପଡ଼ି ରହିଥିବା ଅଭିଯୋଗ ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀ, କର୍ମଚାରୀମାନଙ୍କ ବାସ ଗୃହ ଏବଂ ଡାକ ବଙ୍ଗଳା କୋଠା ଗୁଡ଼ିକ  ଜରାଜୀର୍ଣ୍ଣ ଅବସ୍ଥାରେ ଭାଙ୍ଗି ଚୁରୁମାର ହୋଇରହିଛି । କେଉଁଠି ଟିଣ କଣା ହୋଇ ପାଣି ଗଳିବା ସହ ସୂର୍ଯ୍ୟ ଚନ୍ଦ୍ର ଦେଖା ଯାଉଛି କିଛି କିଛି ସ୍ଥାନର କାନ୍ଥ ଫାଟି ଆଁ କଲାଣି ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିବାରେ ଲାଗିଛି। ବଙ୍ଗଳାର ପରିସର ଗଛ ଉଠି ଲଟା ବୁଦା ହୋଇ ଜଙ୍ଗଲ ପାଲଟିଛି। ସହକାରୀ ଯନ୍ତ୍ରୀଙ୍କ ବାସଗୃହ ଏବଂ ବଙ୍ଗଳା ପରିସର ଏବେ ଅପରିଷ୍କାର ଭାବେ ପଡ଼ି ରହୁଛି। ବର୍ଷ ତମାମ ସମ୍ମୁଖ ଫାଟକ ଏବଂ କବାଟରେ ତାଲା ଝୁଲି ରହୁ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ବଙ୍ଗଳା ପରିସରରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଓ କୌଣସି କର୍ମଚାରୀ କିମ୍ବା ଗୋଟିଏ ବି ଜଗୁଆଳି ରହୁ ନାହାନ୍ତି। ତେଣୁ ଏବେ ଅସାମାଜିକ ବ୍ୟକ୍ତି ମଦୁଆ, ଯୁଆଡିଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବଙ୍ଗଳାର ସୁରକ୍ଷା ଦାୟିତ୍ୱ ନିମନ୍ତେ ବାରମ୍ବାର ଅଭିଯୋଗ କଲେ ଵି ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ହେଉଛି। ଏହି ବଙ୍ଗଳା ୩୨୬(ଏ) ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ। ଡାକ ବଙ୍ଗଳାରେ ପୂର୍ବରୁ ବିଭିନ୍ନ ସମୟରେ ବଡ଼ବଡ଼ିଆ ମାନେ ଏଠାରେ ବିଶ୍ରାମ ନେବା ସହ କିଛି କାର୍ଯ୍ୟକ୍ରମରେ ବଙ୍ଗଳା ବ୍ୟବହାର ହେଉଥିଲା। ପୂର୍ତ୍ତ ବିଭାଗର ପରିଦର୍ଶନ ଡାକ ବଙ୍ଗଳା ଅଛି ହେଲେ କାମରେ ଲାଗୁନ ଥିବା ଚର୍ଚ୍ଚା ହେଉଛି ।  ସୂଚନାଅନୁସାରେ ପୁର୍ବରୁ ଡାକ ବଙ୍ଗଳାରେ ଗୋଟିଏ ସହକାରୀ ଯନ୍ତ୍ରୀ, ପିଅନ ଓ ରାତି ଜଗୁଆଳି ରହୁଥିଲେ। ବଙ୍ଗଳାର ପରିବେଶ ବି ସଫାସୁତୁରା ରହୁଥିଲା।  ବର୍ତମାନ ସେଠାରେ କେହି କର୍ମଚାରୀ ନଥିବାରୁ ସବୁବେଳେ ତାଲା ଝୁଲି ରହୁଛି। ତେଣୁ ବଙ୍ଗଳା ଭୂତ କୋଠୀ ପାଲଟି ପରିସର ଅପରିଷ୍କାର, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ହୋଇଥିବା ଅଭିଯୋଗ ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ