ବିଦ୍ୟାଳୟ ଫାଉଣ୍ଟେନ୍ ପ୍ରକଳ୍ପକୁ ବାଉଁଶ ଠେକରା ଭରସା: ଜିଲାପାଳଙ୍କୁ ଅବଗତ କଲେ ସ୍ଥାନୀୟ ଲୋକେ
ଆରଡି (ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ଧୂଷୁରୀ ମୁରଲୀଧର ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ଅତ୍ୟନ୍ତ୍ୟ ନିମ୍ନମାନର ଓ ଏହି ପ୍ରକଳ୍ପକୁ ଯୋଗାଇ ଦିଆ ଯାଇଥିବା ଅର୍ଥ ରାଶୀକୁ ଭାଗବାଣ୍ଟ କରା ଯାଇଥିବା ଅଭିଯୋଗ ହୋଇଛି । ୫ଟି ଅଧୀନରେ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ମଧ୍ୟ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ବିଦ୍ୟାଳୟ ସମ୍ମୁଖ ଭାଗରେ ସୌନ୍ଦର୍ଯ୍ୟ କରଣ ପାଇଁ ନିର୍ମିତ ହୋଇଥିବା ଫାଉଣ୍ଟେନ ପ୍ରକଳ୍ପ ଭୂଷୁଡି ପଡିବା ଭଳି ପରିସ୍ଥିତି ଉପୁଜିଛି, ଯାହାକୁ ବାଉଁଶ ଠେକରା ଦିଆଯାଇ ଅଟକା ଯାଇଛି । କେବଳ ଏତିକି ନୁହେଁ ବିଦ୍ୟାଳୟରେ ନିର୍ମିତ ପାଇଖାନାର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯାଇଛି । ସେହିଭଳି ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଅନ୍ୟ ପ୍ରକଳ୍ପର ମିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାହାରୁଛି । ନୂଆକରି ନିର୍ମାଣ କରା ଯାଇଥିବା ଏକ ଶ୍ରେଣୀ କୋଠରୀର ଛାତରୁ ମଧ୍ୟ କଂକ୍ରିଟ ଝଡି ପଡିଲାଣି । ବର୍ଷକ ମଧ୍ୟରେ ନିର୍ମିତ ସମସ୍ତ ପ୍ରକଳ୍ପରୁ ରଙ୍ଗ ଛାଡି ଗଲାଣି । ଏହାଛଡା ବିଦ୍ୟାଳୟର ପଛପଟେ ଅଳିଆ ଆବର୍ଜନା ପଡି ପରିବେଶକୁ ଦୁଷିତ କରୁଛି । ବିଦ୍ୟାଳୟର ଏହି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପୂର୍ବ ସରକାରଙ୍କ 5T ବିଭାଗରୁ ୫୦ ଲକ୍ଷରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଥିଲା । ପରେ ଧାମନଗର ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ଅତିରିକ୍ତ ଅର୍ଥରାଶୀ ଯୋଗାଇ ଦିଆଯାଇଛି । ପ୍ରକଳ୍ପ ଗୁଡିକ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରା ଯାଇଥିଲେବି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବ ହୀନତା ଯୋଗୁ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସମସ୍ତ ଉନ୍ନତି ମୂଳକ ନିର୍ମାଣ କାର୍ଯ୍ୟର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଓ ଛାତ୍ରୀଛାତ୍ରଙ୍କ ଅଭିଭାବକ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଯଦି ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ଗ୍ରୀଷ୍ମଛୁଟି ଖୋଲିଲେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଥିବା । ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ ହୋତାଙ୍କୁ ପଚାରିବାରୁ ସେ କହିଲେ ପ୍ରକଳ୍ପକୁ ମାଙ୍କଡ ଭାଙ୍ଗି ଦେଇଛନ୍ତି । ପୁଣି ତାହାକୁ ମରାମତି କରାଯିବା ପାଇଁ ବ୍ୟବସ୍ଥା ଚାଲିଛି ।


