ଭଙ୍ଗାପୋଲ ପାଇଁ ହିନସ୍ତା ହେଉଛନ୍ତି ଶାଳଣିଆ ଅଞ୍ଚଳବାସୀ
ହାଟଡିହି,(ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପରିବା ମାର୍କେଟସ୍ଥିତ ଅଣ ଓସାରିଆ ଭଙ୍ଗା ପୋଲଟି ପାଇଁ ଶାଳଣିଆ ଅଞ୍ଚଳବାସୀ ହିନସ୍ଥା ହେଉଛନ୍ତି। ଏହି ରାସ୍ତା ଉପରେ ଯାଜପୁର,ଭଦ୍ରକ ଓ କେଉଁଝର ଜିଲ୍ଲାର ଲୋକମାନେ ନିର୍ଭର କରୁଥିବା ବେଳେ କେନାଲ ଉପରେ ଥିବା ଏହି ପୋଲଟି ପ୍ରତି କାହାର ଦୃଷ୍ଟି ପଡୁନି। ବହୁ ବର୍ଷ ତଳୁ ନିର୍ମିତ ହୋଇଥିବା ଏହି ପୋଲଟି ଭାଙ୍ଗି ରୁଜି ଗଲାଣି। ଶାଳଣିଆଁ ବଜାରରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ପୋଲ ଉପରେ ପ୍ରତିଦିନ ଶହଶହ ଭାରୀଯାନ ଯାତାୟତ ଫଳରେ ଏହା କେତେବେଳେ ଯେ ଭାଙ୍ଗି ନପଡ଼ିବ ତାହା କହିହେବ ନାହିଁ। ଦୀର୍ଘ ବର୍ଷ ତଳୁ ନିର୍ମାଣ ହୋଇଥିବା ପୁରୁଣା ପୋଲଟି ଅଣ ଓସାରିଆ ଥିବା ହେତୁ ପ୍ରତିଦିନ ଯାତାୟତ କରୁଥିବା ବସ୍ , ଟ୍ରକ ଗୁଡିକ ବହୁ ବହୁ ସମୟଧରି ଫସି ରହୁଛନ୍ତି। ଯାହା ଫଳରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଆମ୍ବୁଲାନସ୍ ସେବାରେ ମଧ୍ୟ ବ୍ୟାଘାତ ଘଟୁଛି। ସେହିପରି ପୋଲର ଦୁଇ ମୁଣ୍ଡରେ ଫାଟ ସୃଷ୍ଟ ହେବା ସହିତ ଖାଲ ହୋଇ ବିପଦ ସଙ୍କୁଳ ହୋଇପଡିଛି। ପୋଲର ଢଳେଇ ଛାତର କିଛି ଅଂଶ ଭାଙ୍ଗି ରୁଜି ରଡ ଦେଖାଦେଉଥିବା ବେଳେ ପିଲାର ମଧ୍ଯ ଦାବି ଗଲାଣି। ପୋଲଟି ଜଳସମ୍ପଦ ବିଭାଗର ହୋଇଥିବା ବେଳେ ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଅଛି। ଗତ ୫ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଓରାଳି ଶାଳଣିଆଁ ରାସ୍ତା ନିର୍ମାଣ ବେଳେ ପୂର୍ତ୍ତ ବିଭାଗ ଏହି ପୋଲଟିକୁ କାହିକି ନିର୍ମାଣ କଲାନି ତାହା ସନ୍ଦେହ ସୃଷ୍ଟି କରିଛି। ପୋଲଟି ଭୁସୁଡ଼ି ଧନ ଜୀବନ କ୍ଷତି ହେବା ପୂର୍ବରୁ ପ୍ରଶାସନ ଏହି ପୋଲଟି ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


