କେନାଲ ଘାଇ ପୋତା ଯାଉନି, ଚାଷୀ ହନ୍ତସନ୍ତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଓରାଳି ଗ୍ରାମ ଦେଇ ଯାଇଥିବା କୋରେଇ ମାଇନର କେନାଲ ଘାଇ ପୋତାଯାଉ ନଥିବାରୁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାଇ ଏହି କେନାଲଟି ଶାଳଣିଆଁ ଜଳସମ୍ପଦ ସବଡିଭିଜନ ଅଧୀନ ବନ୍ତ ସେକ୍ସନ ଅଧିନରେ ରହିଛି। ଏହି କେନାଲ ଦ୍ଵାରା ଶତାଧିକ ଚାଷୀ ସେମାନଙ୍କ ଜମିକୁ ଜଳ ସେଚିତ କରାଇ ଥାନ୍ତି। କିନ୍ତୁ କେନାଲର ଉପର ମୁଣ୍ଡରେ ସୃଷ୍ଟି ହୋଇଥିବା କିଛି ଘାଇ କୁ ବିଭାଗ ପୋତୁ ନଥିବାରୁ ତଳ ମୁଣ୍ଡକୁ ପାଣି ଯାଇ ପାରୁନି। ଏବେ ଚାଷୀମାନେ ଧାନ ତଳି ପକାଇଥିବା ବେଳେ ଯଦି ବର୍ଷା ନହୁଏ ତେବେ ଧାନ ତଳି ନଷ୍ଟ ହେବାର ଆଶଙ୍କା ରହିଛି। ଏନେଇ ସ୍ଥାନୀୟ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ଯ ସେ କିଛି ପଦକ୍ଷେପ ନେଉ ନଥିବା ପୁର୍ବତନ ସରପଞ୍ଚ ଅରୁଣ ପ୍ରଧାନ ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଘାଇ ପୋତିବାର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।