ମଥୁରା-ଜେ.ଡେଙ୍ଗାପଦର ଆର.ଡି. ରୋଡ଼ ଘଟଣା: ଜାତୀୟ ମାନବାଧିକାର କମିଶନଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ପୋଲସରା,(ଅନୀଲ କୁମାର ମହାରଣା) : ନୂଆଦିଲ୍ଲୀ ମାନବାଧିକାର କମିଶନ ପକ୍ଷରୁ କେସ ନମ୍ବର ୧୨୨୦/୧୮/୫/୨୦୨୫ ପ୍ରକାରେ ମଥୁରା – ଜେ. ଡେଙ୍ଗାପଦର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦୁରବସ୍ଥା ନେଇ ଅଗଷ୍ଟ ୧ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଯାଇଥିବା ସୁପ୍ରିମକୋର୍ଟର ଆଡଭୋକେଟ ସୁଶାନ୍ତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ସୁଶାନ୍ତ କୁମାର ମଲ୍ଲିକଙ୍କଠାରୁ ଜନସାଧାରଣଙ୍କ ସମ୍ପର୍କରେ ପ୍ରାପ୍ତ ୨୮/୦୪/୨୦୨୫ ତାରିଖର ଅଭିଯୋଗ, ୦୧/୦୮/୨୦୨୫ ତାରିଖରେରେ କମିଶନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ଏହାକୁ ଅନୁଧ୍ୟାନ କରିବା ପରେ, କମିଶନ ଏହି ଅଭିଯୋଗକୁ ଉପଯୁକ୍ତ ବିବେଚିତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗକାରିଙ୍କୁ ସମ୍ପୃକ୍ତ କରି ୮ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ * ତୁରନ୍ତ ମଥୁରା-ଜେ. ଡେଙ୍ଗାପଦର ରାସ୍ତା ନିର୍ମାଣ କରାଯାଉ। * ଜେ. ଡେଙ୍ଗାପଦରକୁ ମୋ ବସ ସେବା ଯୋଗାଯାଉ। * ଗ୍ରାମ ଉନ୍ନୟନ ବିଭାଗ, ବିଡ଼ିଓ ଏବଂ ପରିବହନ ଅଧିକାରୀ ଙ୍କୁ ନେଇ ମିଳିତ ଅନୁଧ୍ୟାନ କରାଯାଉ। କମିଶନଙ୍କ ଆଇନ ବିଭାଗ ପକ୍ଷରୁ ଏନେଇ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ନକଲ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି।