ସରକାରୀ ବସ ପାଇଁ ଷ୍ଟାଣ୍ଡ ନାହିଁ :-ଯାତ୍ରୀ ହନ୍ତସନ୍ତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଚାଲୁଥିବା ଲକ୍ଷ୍ମୀ ବସ ନିମନ୍ତେ ଏବେ ଷ୍ଟାଣ୍ଡ ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଏହା ଅସ୍ତରଙ୍ଗ ଥାନା ସାମ୍ନାରେ ଛିଡା ହେଇ ରହୁଛି ତ ଆଉ କେତେବେଳେ ଅସ୍ତରଙ୍ଗ ଜାଗୁଳାଇ ପଡିଆରେ, କେତେବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଯାତ୍ରୀ ମାନେ ଏଠୁ, ସେଇଠୁ ଧାଁ ଧପଡ଼ ହେଉଛନ୍ତି। ଗ୍ରାମାଞ୍ଚଳର ଲୋକ ମାନଙ୍କୁ ସହଜ, ସୁରକ୍ଷିତ ଓ ସର୍ବନିମ୍ନ ଖର୍ଚ୍ଚରେ ପରିବହନ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ନିଦ୍ଧିଷ୍ଟ ବସ ଷ୍ଟାଣ୍ଡ ନଥିବାରୁ ଯାତ୍ରୀ ମାନେ ନାନା ହଇରାଣ ହେଉଛନ୍ତି। ଗ୍ରାମାଞ୍ଚଳର ଅଧିବାସୀ ମାନଙ୍କୁ ସୁବିଧା ଯୋଗାଇବା ବଦଳରେ ପ୍ରଶାସନର ଏଭଳି ବେପରୁଆ ମନୋଭାବକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେବଳ ଯେ ସାଧାରଣ ଜନତା ହଇରାଣ ହେଉଛନ୍ତି ତାହା ନୁହେଁ, ବସର କର୍ମଚାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଫଳରେ ଅସ୍ତରଙ୍ଗ ବ୍ଲକରେ ଚାଲୁଥିବା ୩ ଟି ଲକ୍ଷ୍ମୀ ବସରେ ଦିନକୁ ଦିନ ଯାତ୍ରୀ ଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଏ ନେଇ ସମାଜସେବୀ ଦିବ୍ୟ ପଣ୍ଡା କହିଛନ୍ତି ଯେ ଅସ୍ତରଙ୍ଗ ବସ ଷ୍ଟାଣ୍ଡର ନିର୍ମାଣ ଏବେ ନାଲି ଫିତା ତଳେ ରହିଥିବା ବେଳେ ଲକ୍ଷ୍ମୀ ବସ ନିମନ୍ତେ ନିହାତି ଜରୁରୀ କାଳୀନ ଭିତ୍ତିରେ ଷ୍ଟାଣ୍ଡ ନିର୍ମାଣ କରାଗଲେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଯାତ୍ରୀ ମାନେ ଏହାର ସୁଫଳ ପାଇପାରିବେ।


