ଜିଲ୍ଲାସ୍ତରୀୟ ଉଷୁ ପ୍ରତିଯୋଗିତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବଡବିଲଠାରେ ଅବସ୍ଥିତ ଉଷୁ ଷ୍ଟାଡିୟମଠାରେ କେନ୍ଦୁଝର ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଉଷୁ ପ୍ରତିଯୋଗୀ ଚୟନ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗ ନିମନ୍ତେ ପ୍ରତିଯୋଗୀ ଚୟନ କରାଯାଇଛି । ଶାରିରୀକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ମୁଖ୍ୟ ଅତିଥି,ଏବିଇଓ ଦିଲ୍ଲୀପ ବେହେରା,ସିଆର୍ସିସି ଦୁଃଖବନ୍ଧୁ ମିଶ୍ର ଓ ଦେବାଶିଷ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶିକ୍ଷକ ପଙ୍କଜ କୁମାର ମହାନ୍ତ,ସାବିତ୍ରୀ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ମହାନ୍ତ,ଶ୍ରୀଧର ମାଝୀ,ନଳିନୀ ମହାନ୍ତ ତଥା ଯୋଡା ବ୍ଲକର ଶାରିରୀକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ସହଯୋଗ କରିଥିଲେ । ଏଥିରେ ଚୟନ ହୋଇଥିବା ପ୍ରତିଯୋଗୀ କେନ୍ଦୁଝରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।


