ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ: ସ୍ୱାଗତ ଜଣାଇଲେ କଟକ ମେୟର ଶ୍ରୀ ସୁବାସ ସିଂହ
କଟକ,(ଓ୍ବାଇଏନଏସ) : ପ୍ରଶାସନିକ ସେବା କ୍ଷେତ୍ର ଏବଂ ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ତାଙ୍କର ଯୋଗଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ, ପୂର୍ବତନ ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଶ୍ରୀମତୀ ସୁଜାତା ରାଉତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ନେତୃବୃନ୍ଦ କହିଥିଲେ ଯେ, ଶ୍ରୀମତୀ ସୁଜାତା ରାଉତଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା, ଜନସେବା ପ୍ରତି ନିଷ୍ଠା ଏବଂ ଉନ୍ନୟନମୂଳକ ଦୃଷ୍ଟିଭଙ୍ଗୀ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବ। ରାଜ୍ୟର ସାମଗ୍ରିକ ବିକାଶ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ବିଜୁ ଜନତା ଦଳରେ ଯୋଗଦେଇ ଦଳର ଆଦର୍ଶ ଓ ଜନମୁଖୀ କାର୍ଯ୍ୟଧାରାକୁ ଆଗକୁ ନେବା ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ଉପସ୍ଥିତ ରହି ନୂତନ ସଦସ୍ୟାଙ୍କୁ ସ୍ୱାଗତ ଜଣାଇଥିଲେ।


