ଶ୍ରୀମଦ ଭାଗବତ ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ
ସନ୍ତୋଷ କୁମାର ଦାଶ
ଆମ ରାଜ୍ୟ ରେ ଏମିତି କେଉଁ ଗାଁ ନାହିଁ ଯେଉଁଠି ଭାଗବତ ଗାଦି, ଟୁଙ୍ଗୀ ନାହିଁ। ଶ୍ରୀମଦ ଭାଗବତ ପୋଥି କୁ ଆମେ ସମସ୍ତେ ଭଗବାନ ବୋଲି ମନେ କରି ପୂଜା କରି ଥାଏ।ଏଣୁ ଏହି ଗ୍ରନ୍ଥ ଏକମାତ୍ର ଗ୍ରନ୍ଥ ଯାହାକୁ ଭାଗବତ ଗୋସାଇଁ ବୋଲି ସମ୍ବୋଧନ କରା ଯାଉଥିବା ବେଳେ ଏହି ଗ୍ରନ୍ଥ ର ଜନ୍ମ ଉତ୍ସବ ପାଳନ କରାଯାଏ। ଆଜି ହେଉଛି ଶ୍ରୀମଦ ଭାଗବତ ର ଜନ୍ମ ତିଥି। ପୁଣ୍ୟାତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା । ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି। ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ସେ ଓଡ଼ିଆ ଭାଗବତକୁ ଲେଖିଛନ୍ତି । ପ୍ରାୟ ପଞ୍ଚଦଶ ଶତାବ୍ଦୀ ରେ ଉତ୍କଳ ରେ ପଞ୍ଚସଖା ଙ୍କ ଆବିର୍ଭାବ ଘଟିଥିଲା ଯେଉଁ ମାନେ ଆଧ୍ୟାତ୍ମିକ ସାହିତ୍ୟ କୁ ଶିଖର କୁ ନେଇ ଯାଇଥିଲେ। ଜଗନ୍ନାଥ ଦାସ ଥିଲେ ପଞ୍ଚଶଖା ପଣ୍ଡିତ ମାନଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତା ର ପ୍ରତୀକ ।ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧିରଖିଛି ।ଯେଉଁଠି ଓଡ଼ିଆ , ଯେଉଁଠି ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ମନ୍ଦିର , ସେଇଠି ରହିଛି ଏହି ଓଡ଼ିଆ ଭାଗବତ । ଏବେ ବି ମେଦିନୀପୁର ଅଞ୍ଚଳ ରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଛପାଯାଇ ପାଠ କରା ଯାଉଛି । ଜଗନ୍ନାଥ ଦାସ ଙ୍କ ଭାଗବତରୁ ପଦିଏ କାନରେ ପଡିଲେ ମନରେ ଓଡ଼ିଆତ୍ବ ଭାବ ସଞ୍ଚରି ଉଠେ । ଜଗନ୍ନାଥ ଦାସଙ୍କ ଭାଗବତର ଅମର ପଂକ୍ତି ଗାଉଁଲି ଖଟିଖିଆ ଚାଷୀ ଙ୍କ ମୁହଁରୁ ବାହାରି ଆସେ। ଏହି ମହାପୁରୁଷଙ୍କର ଜନ୍ମ ୧୪୯୦ ମସିହା ଭାଦ୍ର ଶୁକ୍ଳ ଅଷ୍ଟମୀ ( ରାଧାଷ୍ଟମୀ ) ତିଥିରେ । ଶ୍ରୀ କ୍ଷେତ୍ର ପୁରୀ ନିକଟସ୍ଥ କପିଳେଶ୍ବରପୁର ଶାସନରେ ଜଗନ୍ନାଥ ଦାସ ଙ୍କ ଜନ୍ମ ହୋଇ ଥିଲା । ତାଙ୍କ ପିତାଙ୍କ ନାମ ପଣ୍ଡିତ ଭଗବାନ ଦାସ । ମାତାଙ୍କ ନାମ ପଦ୍ମାବତୀ ଦେବୀ । ପିତା ଥିଲେ ପୁରାଣ ପଣ୍ଡିତ । ସେ ଗୁଣଗ୍ରାହୀ ରାଜା ପୁରୁଷୋତ୍ତମ ଦେବଙ୍କଠାରୁ ଏହି ପୁରାଣ ପଣ୍ଡା ଉପାଧି ପ୍ରାପ୍ତ ହୋଇଥିଲେ । ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇ ଥିବାରୁ ଲୋକେ ତାଙ୍କୁ ସାକ୍ଷାତ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ । ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ । ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କ ଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ସଂସ୍କୃତ ଓ ଓଡ଼ିଆ ଭାଷାରେ ପ୍ରବୀଣ ହୋଇ ଯାଇଥିଲେ। ଅଠର ବର୍ଷ ବୟସରେ ସେ ପୁରାଣଶାସ୍ତ୍ରରେ ଅଦ୍ବିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କରିଥିଲେ । ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ । ବଡ଼ ଦେଉଳର ଦକ୍ଷିଣ ଦିଗରେ ବାଟ ଗଣେଶ ଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା । ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ । ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃଦ୍ଧି ଖଞ୍ଜିଦେଲେ । ଏବେ ବି ସେହି ବୃତ୍ତି ଖଞ୍ଜାହୋଇ ରହିଛି । ଜଗନ୍ନାଥ ଦାସ ଙ୍କୁ ଉଣେଇଶ ବର୍ଷ ହୋଇଥିବା ବେଳର କଥା । ଏହି ସମୟରେ ବଙ୍ଗ ଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ ହେଲା । ସେତେବେଳେ ଜଗନ୍ନାଥ ଦାସ ଭାଗବତ ଦଶମ ସ୍କନ୍ଧର ବ୍ରହ୍ମାସ୍ତୁତି ଗାୟନ କରୁଥାଆନ୍ତି । ତାଙ୍କର ଜ୍ଞାନଗରିମା ଦେଖି ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି ସେ ମହାପ୍ରଭୁ ଜଗନ୍ନାଥ ଙ୍କର ସଙ୍ଗୀ । ଜଗନ୍ନାଥ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ । ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ।ପଞ୍ଚଶଖା ର ଅନ୍ୟତମ ପଣ୍ତିତ ବଳରାମ ଦାସ ଶ୍ରୀଚୈତନ୍ୟ ଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ।ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ । ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମଭକ୍ତି ଦେଖୀ ଦିନେ ଶ୍ରୀଚୈତନ୍ୟ ତାଙ୍କୁ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧି ଦେଲେ । ସେହି ଦିନ ଠାରୁ ଲୋକେ ତାଙ୍କୁ ଅତିବଡି ବା ଅତିବଡ଼ୀ ଗୋସ୍ଵାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ । ଗଜପତି ପ୍ରତାପରୁଦ୍ର ଜଗନ୍ନାଥ ଦାସଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ନିଜ ମହାରାଣୀ ଙ୍କ ନିର୍ମିତ ପ୍ରାସାଦରେ ରହିବା ପାଇଁ ସେ ଜଗନ୍ନାଥ ଦାସଙ୍କୁ ଅନୁରୋଧ କରିବାରୁ ସେଠାରେ ଜଗନ୍ନାଥ ଦାସ କିଛି କାଳ ଅବସ୍ଥାନ କରିଥିଲେ । ସେହି ସ୍ଥାନ ଆଜି ଓଡ଼ିଆ ମଠ ଭାବରେ ପରିଚିତ । ସେଠାରେ ଜନଗହଳି ଲାଗିବାରୁ ଜଗନ୍ନାଥ ଦାସ ସମୁଦ୍ରକୂଳରେ ମଠ ନିର୍ମାଣ କରି ରହିଲେ । ସେହି ମଠ ବର୍ତ୍ତମାନ ସାତଲହଡ଼ି ମଠ ନାମରେ ପରିଚିତ । ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ସହିତ ସଂସ୍କୃତରେ ଜଗନ୍ନାଥ ଚରିତାବୋଧ ସରଣୀ , ଦହିଖେଳା , ଗୁପ୍ତ ଭାଗବତ , ତୁଳାଭିଣା ( ଗଦ୍ୟ ) ଓ ଇତିହାସ ପୁରାଣ ଆଦି ଗ୍ରନ୍ଥ ରଚନା କରିଛନ୍ତି । ୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନ ଯୋଗ ତିଥିରେ ସାତଲହଡ଼ି ମଠରେ ଶରୀର ତ୍ୟାଗ କରିଥିଲେ । ଉତ୍କଳୀୟ ବୈଷ୍ଣବ ବାଦ ର ପ୍ରଚାରକ ଭାବେ ପଞ୍ଚ ସଖା ସୁଖ୍ୟାତି ଅର୍ଜନ କରିଥିଲେ। ଉତ୍କଳ ରେ ପ୍ରାତଃସ୍ମରଣୀୟ ମହାପୁରୁଷ , ସିଦ୍ଧସାଧକ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ , ସଂସ୍କାର ବାଦୀ କବି ମାନଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ ଥିଲେ ଅନ୍ୟତମ।ଓଡ଼ିଆ ଭାଗବତ ରଚନା ସମ୍ପର୍କ ରେ ଏକ କିମ୍ବଦନ୍ତୀ ରହିଛି। ଜଗନ୍ନାଥ ଦାସ ଙ୍କ ମାତା ପ୍ରତିଦିନ ଶ୍ରୀମନ୍ଦିର ଯାଇ ପୁରାଣ ଶୁଣୁ ଥିଲେ। ନିରକ୍ଷରା ବିଧବା ଜନନୀ ସଂସ୍କୃତ ଭାଷାରେ ପୁରାଣ ନ ବୁଝିପାରିବା ରୁ ପୁତ୍ର ଜଗନ୍ନାଥ ଦାସ ଜନନୀ ଙ୍କ ର ଅନ୍ତିମ ଅଭିଳାଷ ପୁରଣ ନିମିତ୍ତ ସଂସ୍କୃତ ଭାଗବତ କୁ ଓଡ଼ିଆ ଭାଷାରେ ନିଜସ୍ଵ ଶୈଳୀ ରେ ଅନୁବାଦ କରି ତାଙ୍କୁ ଶୁଣାଇଥିଲେ। ଶ୍ରୀମନ୍ଦିର ର ବଟଗଣେଶ ଙ୍କ ନିକଟରେ ବସି ଓଡ଼ିଆ ଭାଗବତ ପାଠ କରି ଜନ ମାନସଙ୍କ ହୃଦୟରେ ସମ୍ମାନସ୍ପଦ ସ୍ଥାନ ଲାଭ କରିଥିଲେ । ଜଗନ୍ନାଥ ଦାସ ଙ୍କ ସମ୍ପର୍କ ରେ ଅନେକ ଲୋକ କଥା ଶୁଣିବାକୁ ମିଳେ।ଦିନେ ଜଣେ ବୋଇତ ବେପାରୀ ଶ୍ରୀକ୍ଷେତ୍ର କୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ସେ ଏକ ଚନ୍ଦନ କାଠ ଗଜପତିଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଗଜପତି ପ୍ରତାପ ରୁଦ୍ରଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀଅଙ୍ଗ ରେ ଲାଗି କରାଇବା ନିମିତ୍ତ ସେହି ଚନ୍ଦନ କାଠ ଟିକୁ ଅତିବଡ଼ି ଙ୍କୁ ଅର୍ପଣ କରିଥିଲେ। ଉକ୍ତ ଦିନ ରାତ୍ରୀରେ ଚନ୍ଦନ କାଠ ଟିକୁ ପୁରା ଘୋରିବା ସମୟରେ ସେ ନିଜେ ବାସ କରୁଥିବା ମଠର କାନ୍ଥରେ ବୋଳି ଦେଇଥିଲେ। ଏହା ଶୁଣି ଗଜପତି ତାଙ୍କୁ ଡକାଇ ଏପରି କରିବାର କାରଣ ପଚାରିବାରୁ ଜଗନ୍ନାଥ ଦାସ କହିଲେ , ସେ ରାତ୍ରୀ ରେ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଇଛନ୍ତି। ଗଜପତି ବିସ୍ମିତ ହୋଇ ସେବକମାନଙ୍କୁ ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଦେଶ ହେଇଥିଲେ। ସେ ସମୟ ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥାନ୍ତି ମହାପ୍ରଭୁ । ସେବକମାନେ ସେଦିନ ଗର୍ଭଗୃହ ରୁ ଚନ୍ଦନ ର ମଧୁର ବାସ୍ନା ବାରି ପାରିଥିଲେ । ଗଜପତି ଏହା ଶୁଣି ଅତିବଡ଼ି ଙ୍କ ଚରଣ ବନ୍ଦନା ପୂର୍ବକ କ୍ଷମା ପାର୍ଥନା କରି ପ୍ରତି ବର୍ଷ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ସେବା ଲାଗୁ କରିଥିଲେ ଯାହା ଆଜି ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଦ୍ୱାରା ସମ୍ପାଦନ ହୋଇ ଆସୁଛି। ଜଗନ୍ନାଥ ଦାସ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ । ତାଙ୍କ ଦୃଷ୍ଟିରେ ବୃନ୍ଦାବନ , ଅଯୋଧ୍ୟା , ଗୋପ , ଦ୍ୱାରକା , ବଦ୍ରିକା , କାଶୀ, ଗଙ୍ଗା , ଯମୁନା , ଗୋଦାବରୀ, ସିନ୍ଧୁ ସମନ୍ବିତ କ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ପୁରୀ ।ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିନା ତାଙ୍କ ହୃଦୟରେ ଅନ୍ୟ କାହାର ସ୍ଥାନ ନଥିଲା । ତାଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶା ର ଘରେ ଘରେ ପୂଜା ପାଇଲା। ଗାଁ ଗାଁ ରେ ସ୍ଥାପନା ହେଲା ଭାଗବତ ଟୁଙ୍ଗୀ। ଭାଗବତ ଟୁଙ୍ଗୀ ମାନଙ୍କରେ ପ୍ରତ୍ୟେକ ସଂଧ୍ୟାରେ ଶ୍ରୀମଦ ଭାଗବତ ପାଠ ହେଲା। ଗାଁ ଗହଳି ର ନିରକ୍ଷର, ଗରିବ ଲୋକ ଟିଏ ଶ୍ରୀମଦ ଭାଗବତ ରେ ରହିଥିବା ବାଣୀ ସବୁକୁ ବୁଝି ନିଜ ଜୀବନ ଶୈଳୀ କୁ ଉତ୍ତମ କରିବାରେ ଲାଗିଲା। ଏହାର ବାଣୀ ଶୁଣି, ଜାଣି ଲୋକ ମାନେ ସଚେତନ ହେଲେ।ଶ୍ରୀମଦ ଭାଗବତ ପାଲଟିଗଲା ପ୍ରତ୍ୟେକ ଓଡ଼ିଆ ଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ। ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮