ନୂତନ ରେଳପଥ ପାଇଁ କ୍ଷତିପୂରଣରେ ପାତରଅନ୍ତର ଅଭିଯୋଗ

ଜୟପୁର,  (ହେମନ୍ତ ପାଣିଗ୍ରାହି) : ମାଲକାନଗିରି–ଜୟପୁର–ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ କ୍ଷତିପୂରଣ ବିବାଦ ତୀବ୍ର ରୂପ ନେଇଛି। ଜମି ହରାଉଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନରେ ଗୁରୁତର ପାତରଅନ୍ତର କରାଯାଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛି। ସେହିପରି ଜୟପୁର, କୁନ୍ଦୁରା, ବୈପାରୀଗୁଡ଼ା ଓ ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟରେ ମଧ୍ୟ ସ୍ମାରକପତ୍ର ଦାଖଲ କରାଯାଇଛି। ବିଜେଡିର ଅଭିଯୋଗ ଅନୁଯାୟୀ, ଏହି ରେଳ ପ୍ରକଳ୍ପ ପାଇଁ ଜୟପୁର ଉପଖଣ୍ଡର ପ୍ରାୟ ଏକ ହଜାର ଚାଷୀ ଜମି ହରାଉଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏକର ପିଛା ୩ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳୁଥିବା ବେଳେ ଜୟପୁର ଓ ବୋରିଗୁମ୍ମା ଅଞ୍ଚଳର ଅନେକ ଜମିମାଲିକଙ୍କୁ ୩ ଲକ୍ଷ ଟଙ୍କା ମଧ୍ୟ ମିଳୁନାହିଁ ବୋଲି ଦଳ ଦାବି କରିଛି। ଦଳର କହିବା ଅନୁସାରେ, ଏହି ପାତରଅନ୍ତର ପାଇଁ ଜିଲ୍ଲା ପ୍ରଶାସନ ଓ ଜମି ଅଧିଗ୍ରହଣ ଅଧିକାରୀମାନେ ଦାୟୀ। ପୂର୍ବରୁ ଅନେକ କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ ହୋଇଛି।ବିଜେଡି ଭାରତ ସରକାରଙ୍କ ଜମି ଅଧିଗ୍ରହଣ ଆଇନର ଉଲ୍ଲେଖ କରି କହିଛି ଯେ, ଗ୍ରାମାଞ୍ଚଳରେ ବେଞ୍ଚମାର୍କ ମୂଲ୍ୟ କମ୍ ଥିଲେ ନିକଟସ୍ଥ ସହରାଞ୍ଚଳର ବଜାର ମୂଲ୍ୟକୁ ଆଧାର କରି କ୍ଷତିପୂରଣ ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ରହିଛି। ତେଣୁ ନବରଙ୍ଗପୁର ଭଳି ଜୟପୁର ଉପଖଣ୍ଡର ଜମିହରାଙ୍କୁ ମଧ୍ୟ ସମାନ ହାରରେ କ୍ଷତିପୂରଣ ପ୍ରଦାନ କରିବାକୁ ଦଳ ଦାବି କରିଛି। ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ପ୍ରସାଦ ବିଡିକା, ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ରଥ, ନାଗରାଜ ଦୋରା, ବାଲିଙ୍କି ରାଓ ପ୍ରମୁଖ ବିଜେଡି ନେତାଙ୍କ ସହ ବହୁ ସଂଖ୍ୟକ ଜମିହରା ଚାଷୀ ଉପସ୍ଥିତ ଥିଲେ। ବିଜେଡି ଚେତାବନୀ ଦେଇଛି ଯେ, ଜମିହରାଙ୍କୁ ନ୍ୟାୟସଙ୍ଗତ କ୍ଷତିପୂରଣ ଶୀଘ୍ର ପ୍ରଦାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ