ସୁଶାସନରେ ଆଗରେ ତାମିଲନାଡ଼ୁ, ୧୪ ନମ୍ବରରେ ଓଡ଼ିଶା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସୁଶାସନ ସୂଚକାଙ୍କ ଜାରି କରିଛନ୍ତି। ଏହା ଅନୁସାରେ ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ୨ୟ, ୩ୟ, ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଥିବା ବେଳେ ଝାଡ଼ଖଣ୍ଡ ସବୁଠାରୁ ତଳେ (୧୮ତମ ସ୍ଥାନ) ରେ ରହିଛି । ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ବିହାର, ୟୁପି ଓ ଗୋଆ ଏହି ସୂଚକାଙ୍କ ଅନୁସାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ।
ଉତ୍ତର ପୂର୍ବ ଏବଂ ପର୍ବତ୍ୟାଞ୍ଚଳ ଭରା ରାଜ୍ୟଗୁଡ଼ିକ ମଧ୍ୟରେ ହିମାଚଳ ପ୍ରଦେଶ ୧ମ ସ୍ଥାନରେ ରହିଥିବା ବେଳେ ଉତ୍ତରାଖଣ୍ଡ, ତ୍ରିପୁରା, ମିଜୋରାମ ଏବଂ ସିକିମ ଯଥାକ୍ରମେ ୨, ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି । ଏଭଳି ରାଜ୍ୟଗୁଡ଼ିକ ମଧ୍ୟରେ ଅରୁଣାଞ୍ଚଳ ପ୍ରଦେଶ ସବୁଠାରୁ ତଳେ ରହିଛି । ଜମ୍ମୁକାଶ୍ମୀର, ମଣିପୁର, ନାଗାଲାଣ୍ଡ ଏବଂ ମେଘାଳୟ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ।
କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ପୁଡୁଚେରୀ ପ୍ରଥମ ସ୍ଥାନରେ ରହିଥିବାବେଳେ ଚଣ୍ଡୀଗଡ଼ ଓ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଲାକ୍ଷାଦ୍ୱୀପ ସବୁଠାରୁ ତଳେ ରହିଛି । ଦେଶର ବିଭିନ୍ନ ଭାଗରେ ସୁଶାସନର ସ୍ଥିତି ଆକଳନ କରିବା ଉଦେ୍ଧଶ୍ୟରେ କେନ୍ଦ୍ର ସରକାର ଏଭଳି ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ସୁଶାସନକୁ ନେଇ ତୁଳନା କରାଯାଇଛି ଏବଂ ଉକ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏହା ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଶାସନ ବ୍ୟବସ୍ଥାନରେ ଅଧିକ ସୁଧାର ଆଣିବା ପାଇଁ ପ୍ରୟାସ କରିବେ ବୋଲି ସରକାର କହିଛନ୍ତି ।


