କେନ୍ଦୁଝର ସର୍କିଟ ହାଉସରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତ ସାରି ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ବୁଧବାର ମଧ୍ୟାହ୍ନରେ ଭୁବନେଶ୍ୱର ଯିବାବେଳେ କେନ୍ଦୁଝର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସମସ୍ତ ଅଭିଯୋଗଗୁଡିକ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିବା ପରେ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଜଟିଳ ରୋଗରେ ଆକ୍ରାନ୍ତଙ୍କୁ ଜଣ ଜଣ କରି ମୁଖ୍ୟମନ୍ତ୍ରୀ ଭେଟିଥିଲେ ଏବଂ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଆଜି ଆସିଥିବା କିଛି ଲୋକ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇଥିଲେ ଏବଂ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଜରିଆରେ ଅନେକ ଲୋକଙ୍କର ବର୍ଷ ବର୍ଷ ଧରି ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରୁଛି । ଆଜି ଅଭିଯୋଗ ଶୁଣାଣୀରେ ସମସ୍ତ ଅଭିଯୋଗ ଗୁଡିକର ସମାଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏହି ଅଭିଯୋଗ ଶୁଣିବା ସମୟରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ,ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି,ଏସ୍ପି ନିତିନ କୁଶଲକର,ଡିଏଫ୍ଓ ଏଚ୍ଡି ଧନରାଜ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଓ ସେମାନଙ୍କର ସମସ୍ୟାର ସମାଧାନ କରାଯାଉଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି ।


